ପାଟନା: ବିଜେପିରେ ମିଶିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର । ବିହାରର ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର ବିଜେପିରେ ସାମିଲ । ବିହାର ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମୈଥିଲୀ । ମୈଥିଲୀଙ୍କୁ ଅଲ୍ଲୀନଗର ଆସନ ପାଇଁ ଟିକେଟ୍ ଦେଇପାରେ ବିଜେପି ।
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ବିଜେପିରେ ନୂତନ ଚେହେରା ଯୋଗ ଦେବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଗତକାଲି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ସହ ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ସାମିଲ ହେବା ପରେ ସେ ଦରଭଙ୍ଗାର ଆଲିନଗର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଗତ ସପ୍ତାହରେ ମୈଥିଲୀ ଠାକୁର ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କୁ ଭେଟିଥିଲେ। ଏହା ପରେ ସେ ବିଜେପିରେ ମିଶିବା ନେଇ ଆଲୋଚନା ଜୋର ଧରିଥିଲା। ଏ ସଂପର୍କରେ ତାୱଡେ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଥିଲେ, ୧୯୯୫ରେ ଲାଲୁ ରାଜ କ୍ଷମତାକୁ ଆସିବା ପରେ ଯେଉଁ ପରିବାର ବିହାର ଛାଡ଼ିଥିଲା, ସେହି ପରିବାରର ଝିଅ ଜଣାଶୁଣା କଣ୍ଠଶିଳ୍ପୀ ମୈଥିଲୀ ଠାକୁର ଜୀ ବିହାରକୁ ଫେରିବାକୁ ଚାହୁଁଛନ୍ତି। ବିହାରରେ ହୋଇଥିବା ପରିବର୍ତ୍ତନକୁ ଦେଖି ସେ ଏଠାକୁ ଫେରିବାକୁ ସ୍ଥିର କରିଛନ୍ତି। ବିହାରର ଝିଅ ମୈଥିଲୀ ଠାକୁର ଜୀଙ୍କୁ ଶୁଭେଚ୍ଛା।
