ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ ୟୁଜି-୨୦୨୬ର ଫଳ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଚଳିତ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ମେଡିକାଲ୍ ପାଠପଢ଼ାର ସ୍ୱପ୍ନକୁ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି। ବିଶେଷ କଥା ହେଉଛି, ସଫଳତା ତାଲିକାରେ ପୁଣିଥରେ ଝିଅମାନେ ପୁଅମାନଙ୍କୁ ପଛରେ ପକାଇଛନ୍ତି। ତଥ୍ୟ ଅନୁଯାୟୀ, ଯୋଗ୍ୟତା ହାସଲ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ। ଗତ କିଛି ବର୍ଷ ଧରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଛାତ୍ରୀମାନଙ୍କ ଆଧିପତ୍ୟ ଚଳିତ ବର୍ଷ ମଧ୍ୟ ଜାରି ରହିଛି।
ନିଟ ୟୁଜିରେ ସଫଳ ପରୀକ୍ଷାର୍ଥୀମାନେ ଏବେ ଦେଶର ସରକାରୀ ଓ ବେସରକାରୀ ମେଡିକାଲ୍, ଡେଣ୍ଟାଲ୍ ଏବଂ ଆୟୁଷ କଲେଜରେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ କାଉନସେଲିଂରେ ଅଂଶଗ୍ରହଣ କରିବେ।ପରୀକ୍ଷାର୍ଥୀମାନେ ଏନଟିଏର ଅଧିକୃତ ୱେବସାଇଟ୍ରେ ଲଗ୍ଇନ୍ କରି ନିଜର ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ। ଖୁବଶୀଘ୍ର ଅଖିଳ ଭାରତ କୋଟା ଏବଂ ରାଜ୍ୟଭିତ୍ତିକ କାଉନସେଲିଂ ସୂଚୀ ପ୍ରକାଶ ପାଇବ।
