ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ତଥା ଷ୍ଟାର କିଡ୍ ଜାହ୍ନବୀ କପୁର ଆଜିକାଲି ତାଙ୍କର ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ ‘ପରମ ସୁନ୍ଦରୀ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଗତ ୨୯ ଅଗଷ୍ଟରେ ମୁକ୍ତିଲାଭ କରିଥିବା ଏହି ରୋମାଣ୍ଟିକ କମେଡି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିଛି । ଏହି ଫିଲ୍ମ ପରେ, ତାଙ୍କର ‘ସନି ସଂସ୍କାରୀ କି ତୁଳସୀ କୁମାରୀ’ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ମିଳୁଥିବା ବଡ ଖବର ଅନୁସାରେ, ଜାହ୍ନବୀଙ୍କ ଆଉ ଫିଲ୍ମ ପାଇଁ ଅଫର୍ ଆସିଛି । ଯାହାକି ତାଙ୍କ ପାଇଁ ସବୁଠାର ବଡ ପ୍ରୋଜେକ୍ଟ । କାରଣ ଜାହ୍ନବୀ ତାଙ୍କ ମା’ ଶ୍ରୀଦେବୀଙ୍କ ସୁପରହିଟ୍ ଫିଲ୍ମ ‘ଚାଲବାଜ’ର ରିମେକରେ ନଜର ଆସିପାରନ୍ତି । ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ‘ଚାଲବାଜ’ ଶ୍ରୀଦେବୀଙ୍କ କ୍ୟାରିଅରର ସବୁଠାରୁ ଆଇକନିକ ଫିଲ୍ମ ମଧ୍ୟରୁ ଗୋଟେ । ଫିଲ୍ମରେ ତାଙ୍କର ଡବଲ୍ ରୋଲ୍ ଏବଂ କମିକ୍ ଟାଇମିଂ ସେହି ସମୟରେ ଏକ ହଇଚଇ ସୃଷ୍ଟି କରିଥିଲା । ଏବେ ଦୀର୍ଘ ୩୬ ବର୍ଷ ପରେ, ଏହି ଫିଲ୍ମର ରିମେକ୍ ନିର୍ମିତ ହେବାକୁ ଯାଉଛି।
କେବଳ ଏତିକି ନୁହେଁ, ଶ୍ରୀଦେବୀଙ୍କ ଏହି ପ୍ରତୀକାତ୍ମକ ଭୂମିକା ପାଇଁ ତାଙ୍କ ଝିଅଙ୍କୁ ବାଛିଛନ୍ତି ଫିଲ୍ମ ନିର୍ମାତା । ଏଥିରେ ମୁଖ୍ୟ ଭୂମିକାର ଦାୟିତ୍ୱ ଜାହ୍ନବୀ କପୁରଙ୍କୁ ଦିଆଯାଇଛି ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ଜଣେ ବଡ଼ ଫିଲ୍ମ ନିର୍ମାତା ଜାହ୍ନବୀଙ୍କୁ ଏକ ଅଫିସିଆଲ୍ ରିମେକ୍ ଅଫର୍ ଦେଇଛନ୍ତି, ଏବଂ ସେ ଏଥିପାଇଁ ହଁ ମଧ୍ୟ କହିଛନ୍ତି । ଯାହା ଯୋଗୁଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଯଦିଓ ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ତଥାପି ବର୍ତ୍ତମାନ ପାଇଁ ଜାହ୍ନବୀ ତାଙ୍କ ମା’ଙ୍କ ଫିଲ୍ମରେ କାମ କରିବାକୁ ବହୁତ ଉତ୍ସାହିତ। ସେ ଏହି ପ୍ରୋଜେକ୍ଟକୁ ଯଥାଶୀଘ୍ର ଆରମ୍ଭ କରିବାକୁ ଚାହୁଁଛନ୍ତି।
କହିରଖୁଛୁ ଯେ, ଜାହ୍ନବୀ କପୁରଙ୍କ ଗ୍ଲାମର ସ୍କ୍ରିନର ଯାତ୍ରା ଆଜିକାଲି ବେଶ୍ ଭଲ ଚାଲିଛି । ଅଭିନେତ୍ରୀ ଖୁବ୍ଶୀଘ୍ର ବରୁଣ ଧାୱନଙ୍କ ସହ ‘ସନି ସଂସ୍କାରୀ କି ତୁଳସୀ କୁମାରୀ’ ଫିଲ୍ମରେ ତୁଳସୀ କୁମାରୀ ଭୂମିକାରେ ଅଭିନୟ କରିଛନ୍ତି । ଯାହା ଆସନ୍ତା ୨ ଅକ୍ଟୋବରରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ବ୍ୟତୀତ ସେ ରାମ ଚରଣଙ୍କ ସହ ‘ପେଡ୍ଡି’ ଚଳଚ୍ଚିତ୍ରରେ ମଧ୍ୟ କାମ କରୁଛନ୍ତି । ଯାହାର ନିର୍ଦ୍ଦେଶନା ବୁଚି ବାବୁ ସାନା ଦେଉଛନ୍ତି, ଏବଂ ଏହା ଆସନ୍ତା ବର୍ଷ ୨୭ ମାର୍ଚ୍ଚ ୨୦୨୬ରେ ମୁକ୍ତିଲାଭ କରିବ । ତେବେ ଆଗାମୀ ବର୍ଷଗୁଡ଼ିକରେ ଜାହ୍ନବୀ ଗୋଟିଏ ପରେ ଗୋଟିଏ ବଡ଼ ଫିଲ୍ମ କରି ତାଙ୍କ କ୍ୟାରିଅରକୁ ଏକ ନୂତନ ଉଚ୍ଚତା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ସେ ତାଙ୍କ ମାଆ ଶ୍ରୀଦେବୀଙ୍କ ପରି ‘ଚାଲବାଜ’ରେ ଡବଲ ରୋଲ୍ କରି ଦର୍ଶକଙ୍କ ହୃଦୟ ଜିତିପାରିବେ କି ନାହିଁ ?
