ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୭୦୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମିକୁ ସିଜିମାଳି ବକ୍ସାଇଟ୍ ଖଣି ପାଇଁ ବ୍ୟବହାର କରିବା ନେଇ ବେଦାନ୍ତର ପ୍ରସ୍ତାବ ଉପକୁ ସ୍ଥଗିତ ରଖିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ସମ୍ପ୍ରଦାୟ ସମ୍ମତି, କ୍ଷତିପୂରଣ ବନୀକରଣ ଏବଂ ପରିବେଶଗତ ବିପଦ ଉପରେ ସମାଧାନ ହୋଇନଥିବା ନେଇ ସରକାରୀ ରେକର୍ଡରୁ ଜଣାପଡିଛି। ଅଗଷ୍ଟ ୨୫ ତାରିଖରେ ବନ ପରାମର୍ଶଦାତା କମିଟିର ବୈଠକରେ ନିଆଯାଇଥିବା ନିଷ୍ଡତ୍ତି ଅନୁସାରେ ରାୟଗଡ଼ା ବନ ଡିଭିଜନରେ ୫୬୪.୫୮ ହେକ୍ଟର ଏବଂ କଳାହାଣ୍ଡି (ଦକ୍ଷିଣ) ଡିଭିଜନରେ ୧୪୩.୬୨ ହେକ୍ଟର ମୋଟ ୧,୫୪୮.୭୮ ହେକ୍ଟର ଲିଜ୍ ହୋଲ୍ଡ ଅଞ୍ଚଳରୁ ଅନ୍ୟତ୍ର ବ୍ୟବହାର କରିବାକୁ କୁହାଯାଇଛି।
ମାର୍ଚ୍ଚ ୨୦୨୩ ରେ ଅନୁଷ୍ଠିତ ନିଲାମରେ ବେଦାନ୍ତକୁ ଏହି ବ୍ଲକ ପାଇଁ ପସନ୍ଦିତ ବିଡର ଭାବରେ ଘୋଷଣା କରାଯାଇଥିଲା ଏବଂ ୩୧ ବର୍ଷ ପାଇଁ ବାର୍ଷିକ ନଅ ନିୟୁତ ଟନ୍ ବକ୍ସାଇଟ୍ ଖଣି କରିବାକୁ ଯୋଜନା ରଖିଥିଲା । ଏହି ବ୍ଲକରେ ୩୧୧ ନିୟୁତ ଟନ୍ ଖଣି ରହିଛି ବୋଲି ଆକଳନ କରାଯାଇଛି। ପ୍ରସ୍ତାବ ଅନୁଯାୟୀ, ଲାଞ୍ଜିଗଡ଼ରେ ଥିବା ଏହାର ଆଲୁମିନା ରିଫାଇନାରୀର କଞ୍ଚାମାଲ ଚାହିଦାକୁ ଆଂଶିକ ଭାବରେ ପୂରଣ କରିବା ପାଇଁ ଏହି ଖଣି ଆବଶ୍ୟକ, ଯାହା ବାର୍ଷିକ ଛଅ ନିୟୁତ ଟନ୍ କ୍ଷମତା ବହନ କରେ । ଏହି ପ୍ରକଳ୍ପରେ ରାୟଗଡ଼ାର ମାଲିପଦର ଏବଂ କଳାହାଣ୍ଡିର ତିଜାମାଳିର ୧୦୦ ପରିବାରଙ୍କୁ ବିସ୍ଥାପିତ କରାଯିବା ନେଇ ସୂଚନା ରହିଛି ।
ଏଫଏସି ଉଲ୍ଲେଖ କରିଛି ଯେ ଓଡ଼ିଶା ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମସଭା ପ୍ରସ୍ତାବ ପାଇବାରେ ଉପଯୁକ୍ତ ପ୍ରକ୍ରିୟା ପ୍ରମାଣିତ କରୁଥିବା ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ଦାଖଲ କରିଛି। ତଥାପି, କମିଟି କହିଛି ଯେ ବୈଠକର ବିବରଣୀ ଅନୁଯାୟୀ ରିପୋର୍ଟଗୁଡ଼ିକ ଗ୍ରାମବାସୀ ଏବଂ ଆବେଦନକାରୀଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଉଠାଯାଇଥିବା ଚିନ୍ତାର ସମାଧାନ କରିନାହିଁ । ଚଳିତ ବର୍ଷ ମାର୍ଚ୍ଚ ମାସରେ, କୋର୍ଟ ଅଭିଯୋଗ ରେକର୍ଡ କରିଥିଲେ ଯେ ଖଣି ସମର୍ଥନରେ ଗ୍ରାମସଭାର ପ୍ରସ୍ତାବ “ଜାଲିଆତି ଭାବରେ” ହାସଲ କରାଯାଇଥିଲା, ଯେତେବେଳେ ପରବର୍ତ୍ତୀ ଗ୍ରାମସଭା ୨୦୨୪ ରେ ଜଙ୍ଗଲ ପରିବର୍ତ୍ତନକୁ ବିରୋଧ କରିଥିଲା। କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ କେନ୍ଦ୍ର ସରକାର ପ୍ରସ୍ତାବ ବିଚାର କରିବା ପୂର୍ବରୁ ପ୍ରଭାବିତ ସମ୍ପ୍ରଦାୟଗୁଡ଼ିଙ୍କ ଠାରୁ ସମ୍ମତି ନେବା ଉଚିତ। ପ୍ୟାନେଲ ପରିବେଶଗତ ଚିନ୍ତାକୁ ମଧ୍ୟ ଆଲୋକପାତ କରିଥିଲା। ଭିଭିନ୍ନ ପ୍ରକାରର ଜରୁରୀ ଉଦ୍ଭିଦ, ଶାଳ ଗଛ ଇତ୍ୟାଦିକୁ ନେଇ ସୃଷ୍ଟ ଏହି ଜଙ୍ଗଲ ଅଞ୍ଚଳ ହାତୀମାନଙ୍କ ବାସସ୍ଥାନ ମଧ୍ୟ । ତେଣୁ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟରୁ ମଧ୍ୟ ସମ୍ମତି ଅଣାଯିବା ଉଚିତ୍ ବୋଲି କହିଥିଲା ଏଫଏସି। ଜବରଦଖଲ ମୁକ୍ତ ବୋଲି ପ୍ରମାଣ କରି ସ୍ଥାନୱାରୀ ରିପୋର୍ଟ ପ୍ରଦାନ କରିବାକୁ ଓଡ଼ିଶାକୁ ନିର୍ଦ୍ଦେଶ ଦେଇଛି।
ଅନ୍ୟପଟେ ବେଦାନ୍ତ କହିଛି ଯେ, ଖଣି ମୁଖ୍ୟତଃ ବିରଳ ଉଦ୍ଭିଦ ପାହାଡ଼ ଶିଖରରେ ସୀମିତ ରହିବ, ଉପତ୍ୟକାଗୁଡ଼ିକୁ ଅସ୍ପୃଶ୍ୟ ରଖାଯାଇ ସବୁଜ ବଳୟ ଭାବରେ ବିକଶିତ କରାଯିବ। କମ୍ପାନୀ ୧୦ କିଲୋମିଟର ପ୍ରଭାବିତ କ୍ଷେତ୍ର ପାଇଁ ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାର ଖର୍ଚ୍ଚ ବହନ କରିବାକୁ ମଧ୍ୟ ରାଜି ହୋଇଛି, ଯାହାର ବଜେଟ୍ ୩୪.୪୪ କୋଟି ଟଙ୍କା । ଏବଂ କ୍ଷତିପୁରଣ ବାବଦକୁ ୧୦୭ କୋଟି ଟଙ୍କାରୁ ଅଧିକ ବ୍ୟୟ କରିବ । କିନ୍ତୁ ଏଫଏସି କହିଛି ଯେ, ଏଥିପାଇଁ ପ୍ରଥମେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ପରିବେଶଗତ ସୁରକ୍ଷା, କ୍ଷତିପୂରଣ ବନୀକରଣ ଓଭରଲାପ୍ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରକାଶ ପାଇଥିବା ଚିନ୍ତାକୁ ଦୂର କରିବାକୁ ପଡିବ। ସେପର୍ଯ୍ୟନ୍ତ, ପ୍ରସ୍ତାବ ଉପରେ ଆଉ ବିଚାର କରାଯାଇପାରିବ ନାହିଁ। କଳାହାଣ୍ଡି ଏବଂ ରାୟଗଡ଼ାର ୧୮ଟି ଗାଁରେ ବିସ୍ତୃତ ସିଜିମାଳି ବ୍ଲକ ଆଦିବାସୀ ସମ୍ପ୍ରଦାୟର ବିରୋଧର କେନ୍ଦ୍ରବିନ୍ଦୁ ହୋଇଛି ଯେଉଁମାନେ ଜଙ୍ଗଲ, ଜଳସ୍ରୋତ ଏବଂ ଜୀବିକା ନଷ୍ଟ ହେବାର ଭୟ ରଖିଛନ୍ତି।
