ନିଯୁକ୍ତି ହେବେ ୪୫ ହଜାର ଶିକ୍ଷକ, ୬୭୯୪ ପଞ୍ଚାୟତରେ ହେବ ୮୩୫ ମଡେଲ ସ୍କୁଲ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦୁଇଟି କଥା ବଡ଼ ଆହ୍ବାନ । ପ୍ରଥମଟି ହେଲା ଡ୍ରପ୍ ଆଉଟ୍ ଏବଂ ଦ୍ୱିତୀୟଟି ହେଉଛି ଗୁଣାତ୍ମକ ଶିକ୍ଷା । ଉଭୟ କଥା ହେଉଛି ଚିନ୍ତାଜନକ । ତେଣୁ ଡ୍ରପ୍ ଆଉଟ୍ ହାରକୁ ଦୂର କରିବାକୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପଡ଼ିବ । ତେବେ ଜନଜାତି ବର୍ଗରୁ ବେଶୀ ଡ୍ରପ୍ ଆଉଟ୍ ଦେଖିବାକୁ…

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦୁଇଟି କଥା ବଡ଼ ଆହ୍ବାନ । ପ୍ରଥମଟି ହେଲା ଡ୍ରପ୍ ଆଉଟ୍ ଏବଂ ଦ୍ୱିତୀୟଟି ହେଉଛି ଗୁଣାତ୍ମକ ଶିକ୍ଷା । ଉଭୟ କଥା ହେଉଛି ଚିନ୍ତାଜନକ । ତେଣୁ ଡ୍ରପ୍ ଆଉଟ୍ ହାରକୁ ଦୂର କରିବାକୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପଡ଼ିବ । ତେବେ ଜନଜାତି ବର୍ଗରୁ ବେଶୀ ଡ୍ରପ୍ ଆଉଟ୍ ଦେଖିବାକୁ ମିଳୁଛି । ଯାହା ସବୁଠାରୁ ଚିନ୍ତାଜନକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ସ୍କୁଲରେ ସାନ୍ତାଳୀ ଭାଷାରେ ପାଠ ପଢାଯିବ । ଅଲଚିକି ଭାଷାରେ ପାଠ ପଢିବେ ଛାତ୍ରଛାତ୍ରୀ । ସେଥିପାଇଁ ଏବେ ପ୍ରସ୍ତୁତି ଚାଲିଛି । ଆଉ ଯଦି କେଉଁ ଭାଷାକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତି ତେବେ ସେ ଭାଷାରେ ବି ସ୍କୁଲରେ ପାଠ ପଢ଼ାଯିବ । ଜାତୀୟ ଶିକ୍ଷା ନୀତି ଆଧାରରେ ପ୍ରତି ପଂଚାୟତରେ ଗୋଟିଏ ମଡେଲ ସ୍କୁଲ ହେବ । ୬୭୯୪ ପଞ୍ଚାୟତରେ ହେବ ମଡେଲ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ୮ ଶହ ୩୫ ମଡେଲ ସ୍କୁଲ ତିଆରି ହେବ । ପ୍ରତି ବିଦ୍ୟାଳୟରେ ଖର୍ଚ୍ଚ ହେବ ୫ରୁ ୭କୋଟି ଟଙ୍କା । କ’ଣ କଲେ ଗୁଣାତ୍ମକ ଶିକ୍ଷା ବଢିବ ତାକୁ ଗୁରୁତ୍ଵ ଦିଆଯିବ । ଶିଶୁ ବାଟିକାରେ ଜଣେ ଲେଖାଏଁ ଶିଶୁ ସେବିକା ନିଯୁକ୍ତି ହେବେ ।

ଗତ ବର୍ଷ ବଜେଟରୁ ୧୮ପ୍ରତିଶତ ଅଧିକ ଏଥର ଶିକ୍ଷା ବଜେଟ । ଅନ୍ୟ ବିଭାଗ ଅପେକ୍ଷା ବେଶୀ । ୩୧ ହଜାର କୋଟି ବ୍ୟୟ ବରାଦ କରାଯାଇଛି । ଶିକ୍ଷା ବଜେଟକୁ ନେଇ ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ଗୋଟିଏ ରାଜ୍ୟ । ଆଗାମୀ ୩ ବର୍ଷରେ ୪୫ ହଜାର ରେଗୁଲାର ଶିକ୍ଷକ ନିଯୁକ୍ତି ହେବେ । ତେବେ ଏଗୁଡିକ ଚୁକ୍ତିଭିତ୍ତିକ ନୁହେଁ ବରଂ ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି, ଏଣିକି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଗୋଟିଏ ବୋର୍ଡରେ ଚାଲିବ । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶି ଗୋଟିଏ ବୋର୍ଡ ହେବ । ଛାତ୍ର ଓ ଶିକ୍ଷକଙ୍କ ଯାହା ସମସ୍ୟା ଥିବ ତାକୁ ସମାଧାନ କରିବ ଏହି ବୋର୍ଡ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *