ଭୁବନେଶ୍ଵର: ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକ ଓଷାବ୍ରତ ଖାଦ୍ୟ ସହିତ ଜଡ଼ିତ ଥିବା ଲକ୍ଷ୍ୟ କରାଯାଏ । ସେହିପରି ଦ୍ୱିତୀୟା ଓଷା (ଦୂତିୟା ଓଷା ବା ଯୁତୀଆ ଓଷା) ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ପାଳନ କରାଯାଏ । ଏହି ଦିନ ଓଷା କରିଥିବା ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଦୂତୀବାହାନଙ୍କୁ ପୂଜା କରିଥାନ୍ତି । ଦ୍ଵିତୀୟା ଓଷା ହେଉଛି ଓଡିଶାର ଏକ ପାରମ୍ପରିକ ପର୍ବ । ଦୂତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ । ପୌରାଣିକ ମତରେ , ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଅଟନ୍ତି ଦ୍ବିତୀବାହନ । ଦ୍ଵିତୀୟା ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଘାଣ୍ଟ ତରକାରିର ସ୍ୱତନ୍ତ୍ର ମହକ ଥାଏ । ଘାଣ୍ଟ ପ୍ରସ୍ତୁତ ହେବା ପରେ ଦ୍ୱୀତିବାହନଙ୍କୁ ଭୋଗ ଦିଆଯାଏ । ଏହାପରେ ବନ୍ଧୁବାନ୍ଧବ ତଥା ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଘାଣ୍ଟ ତରକାରିର ମଜ୍ଜା ନିଅନ୍ତି ।ଏହି ହିସାବରେ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତିଆରି ହେବ ଦ୍ଵିତୀୟା ଘାଣ୍ଟ ତରକାରୀ । ବନ୍ଧୁ ବାନ୍ଧବଙ୍କ ଘରକୁ ମଧ୍ୟ ପଠାଯିବ ଦ୍ଵିତୀୟା ଘାଣ୍ଟ। ତେବେ ଲୋକମାନେ ଭିନ୍ନ ଭିନ୍ନ ପ୍ରଣାଳୀରେ ତିଆରି କରନ୍ତି ଘାଣ୍ଟ । ଆସନ୍ତୁ ଜାଣିବା ଘାଣ୍ଟ ତରକାରୀର ଏକ ସହଜ ରେସିପି…
ଆବଶ୍ୟକ ସାମଗ୍ରୀ:
ଜହ୍ନି , ମୂଳା, ବାଇଗଣ, କଞ୍ଚା କଦଳୀ, କଖାରୁ , ଓଲୁଅ , କନ୍ଦମୂଳ , ଆଳୁ , ଖମ୍ବ ଆଳୁ , ସାରୁ , ଓଉ , ବୁଢ଼ା କାକୁଡ଼ି , ପାଣି କଖାରୁ , ପ୍ରଭୃତି ୨୧ ପ୍ରକାର ପରିବା ସହିତ ଗଜାବୁଟ, ଗଜାମୁଗ, ମଟର ଆଦି । ପିଆଜ ଅଦା, ରସୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ, ମସଲା ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ସମସ୍ତ ପରିବାକୁ ଖଣ୍ଡ ଖଣ୍ଡ କରି କାଟି ଭଲଭାବେ ଧୋଇ ରଖି ଦିଅନ୍ତୁ । ଏହାପରେ ପୂର୍ବଦିନରୁ ଭିଜେଇ ରଖିଥିବା ବୋଟ, ମଟର ଓ ଚଣାକୁ ସିଝାଇ ଦିଅନ୍ତୁ। ଏବେ ପିଆଜକୁ ସରୁ ସରୁ କରି କାଟି ଦିଅନ୍ତୁ ଏବଂ ଅଦା ରସୁଣ ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ । ଏବେ ଗ୍ୟାସରେ ଗୋଟିଏ ପାତ୍ର ବସେଇ ସେଥିରେ ତେଲ ପକାଇ ଗୋଟା ମସଲା ପକାନ୍ତୁ । ଏହାପରେ ସେଥିରେ କଟା ପିଆଜ ପକେଇ ତାର ରଙ୍ଗ ନବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଅଦା ରସୁଣ ପେଷ୍ଟ ପକାଇ ମସଲାକୁ ଭଲ ଭାବରେ କଷନ୍ତୁ । ଏବେ ସେଥିରେ ଲଙ୍କା ଗୁଣ୍ଡ ଓ ଅନ୍ୟାନ୍ୟ ମସଲା ଗୁଣ୍ଡ ପକାଇ ଭାଲଭାବେ ଗୋଳାନ୍ତୁ । ୪/୫ ମିନିଟ ଘାଣ୍ଟିବା ପରେ ସେଥିରେ ଟମାଟୋ ପକାଇ ଅଳ୍ପ ଭାଜନ୍ତୁ । ମସଲାରେ ଟମାଟୋ ଭଲଭାବେ ମିଶିଗଲା ପରେ ଏବେ କଟା ଆଳୁ, ଖମ୍ବ ଆଳୁ, ସାରୁ ପକେଇ କଷନ୍ତୁ । ୫ରୁ୮ ମିନିଟ ପରେ ଅନ୍ୟାନ୍ୟ କଞ୍ଚା ପରିବା ପକାଇ ଭଲଭାବେ ମସଲା ସହ ଗୋଳାନ୍ତୁ । ପ୍ରାୟ ୧୦ ମିନିଟି ମଧ୍ୟମ ଆଞ୍ଚରେ ମସଲା ଦେହରେ ପରିବା ଭଲଭାବରେ ମିଶେଇବା ପରେ ଏବେ ସେଥିରେ ଅଳ୍ପ ପାଣି ଦିଅନ୍ତୁ । କିଛି ସମୟ ତରକାରୀ ଫୁଟିବା ପରେ ସେଥିରେ ବୋଟ, ମଟର ଓ ଗଜାମୁଗ ପକାନ୍ତୁ । ଏବେ ଏହାକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ । ତରକାରୀ ହୋଇ ଆସିଲା ବେଳକୁ ସେଥିରେ ଅଳ୍ପ ଗରମ ମସଲା ଗୁଣ୍ଡ, ନଡ଼ିଆ କୋରା ଓ ଧନିଆ ପତ୍ର ପକାଇ ଘାଣ୍ଟି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଦୂତିଆ ଘାଣ୍ଟ ।
ପୁରୀ ଶ୍ରୀମନ୍ଦିରେ ରନ୍ଧା ହେଉଥିବା ଛପନ ଭୋଗରେ ଅନ୍ତର୍ଭୁକ୍ତ ଘାଣ୍ଟକୁ ମହୁର କୁହାଯାଏ । ସେଥିରେ ଆଳୁ ଓ ବିଲାତି ବାଇଗଣ ବ୍ୟବହାର ନ ହୋଇ କେବଳ ଖମ୍ବଆଳୁ ପଡ଼ିଥାଏ । ଏହା ମହାପ୍ରଭୁଙ୍କ ନିକଟରେ ଭୋଗ ହେବା ପରେ ଆନନ୍ଦ ବଜାରରେ ମହୁର ନାମରେ ବିକ୍ରି ହେଉଥିବା ଭୋଗ ଭିତରୁ ଏକ ।
