ବ୍ରହ୍ମଗିରି: ବାଲିହରଚଣ୍ଡି ପୀଠରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାକୁ ନେଇ ସାରା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କରିଛି ପୁରୀ ପୋଲିସ । ମୋଟ୍ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ । ଏହାସହ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି ।
ସେପଟେ ବ୍ରହ୍ମଗିରି ବାଲିହରଚଣ୍ଡି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା ବୋଲି କହିଛନ୍ତି ବିଧାୟିକା ଉପାସନା ମହାପାତ୍ର । ସମସ୍ତ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି । ପୋଲିସ ତଦନ୍ତ ଜାରି ରହିଛି, ଆଗକୁ ଆହୁରି ଚିତ୍ର ସ୍ପଷ୍ଟ ହେବ । ଉକ୍ତ ସ୍ଥାନରେ ପୁଲିସ ଫାଣ୍ଡି ପାଇଁ ପୂର୍ବ ସରକାର ସମୟରୁ କୁହାଯାଇଛି । ଆମ ସରକାର ଆସିବା ପରେ ମଧ୍ୟ ଲିଖିତ ଆକାରରେ ଦେଇଛୁ । ବ୍ରହ୍ମଗିରି ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀରେ ଫାଣ୍ଡି ପାଇଁ ଲିଖିତ ଆକାରରେ ଦେଇଛୁ ବୋଲି କହିଛନ୍ତି ବିଧାୟିକା ।
ସୂଚନା ଅନୁଯାୟୀ, ଶୁକ୍ରବାର ଜଣେ ଯୁବକ ଓ ଯୁବତୀ ବାଲିହରଚଣ୍ଡି ବୁଲିବାକୁ ଆସି ଥିବାବେଳେ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହିତ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ । ଏପରିକି ଟଙ୍କା ଦାବି କରିଥିଲେ ଏବଂ ନ ଦେବାରୁ ଟଙ୍କା ଛଡାଇ ନେଇଥିଲେ। ପରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଦେଇ ଦୁଇ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ । ଏ ନେଇ ସଂପୃକ୍ତା ଯୁବତୀ ପ୍ରଥମେ ଅଭିଯୋଗ କରି ନ ଥିଲେ। ପରେ ପୋଲିସ ଜାଣିବା ପରେ ପୀଡ଼ିତାଙ୍କ ପାଖକୁ ଯାଇ ଅଭିଯୋଗ ଗ୍ରହଣ କରିଥିଲେ। ଏହି ଘଟଣାକୁ ପୁରୀ ଏସପି ପ୍ରତୀକ ସିଂ ଗୁରୁତର ଭାବେ ନେଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପୁରୀ ସଦର ଥାନା ରେ ୫୫୨/୨୫ ମାମଲା ରୁଜୁ କରାଯାଇଥିବାବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
