ଆସୁଛନ୍ତି ମା’: ମଝି ନଈରେ କାହିଁକି ଅଟକି ଯାଇଥିଲା ନାଆ

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଷୋଡଶ ଉପଚାର…

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଷୋଡଶ ଉପଚାର ବିଧି । ଦୁର୍ଗାପୂଜା ଅବସରରେ ଖଣ୍ଡାୟତର ଖଣ୍ଡା, ନାପିତର କ୍ଷୁର, କରଣର ଲେଖନୀ, କମାର ବଢେଇଙ୍କ ଉପକରଣ ତଥା ଅନ୍ୟ ଜାତିମାନଙ୍କର କୌଳିକ ବୃତ୍ତି ଅନୁସାରେ ନିଜ ନିଜର ଉପକରଣଗୁଡିକୁ କଳସ ନିକଟରେ ସ୍ଥାପନ କରି ବୃତ୍ତିଗତ ବ୍ୟବସାୟ ଅଭିବୃଦ୍ଧି ପାଇଁ ଦେବୀଙ୍କ ନିକଟରେ କାମନା କରିଥାନ୍ତି ।

ଓଡ଼ିଶାର ପୁରୀ ଜିଲ୍ଲା କାକଟପୁରଦେଇ ବହି ଯାଉଥିବା ପ୍ରାଚୀ ନଦୀ କୂଳରେ ଅବସ୍ଥିତ ମା ମଙ୍ଗଳାଙ୍କ ମନ୍ଦିର । ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଅଟେ । ବର୍ଷ ତମାମ ଏଠାକୁ ଭକ୍ତମାନେ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରକୁ ବିଗତ ୫୦୦ବର୍ଷ ପୂର୍ବେ ସ୍ଥାନୀୟ ଜମିଦାର “ରାୟଚୁଡାମଣି”ଙ୍କ ପରିବାର, ବିଶିଷ୍ଠ ଜ୍ଞାନୀ ସେବକମାନଙ୍କୁ ନେଇ ନିର୍ମାଣ କରିଥିଲେ । କିମ୍ବଦନ୍ତୀ ଅନୁସାରେ, ମା’ ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲା । ଦିନେ ନଦୀରେ ଜଣେ ନାଉରିଆ ନାବ ବାହୁଥିବା ବେଳେ ହଠାତ୍ ବନ୍ୟା ଆସିଲା । ନାଉରିଆ ଜଣଙ୍କ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ ତାର ନାବ ସ୍ଥିରହୋଇ ରହିଲା ଓ ସେ ରକ୍ଷା ପାଇଗଲା । କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା ।

ଏହିପରି ଚିନ୍ତାରେ ଥିବାବେଳେ ଥରେ ପ୍ରାତଃକାଳରେ ମା’ଙ୍କର ସ୍ୱପ୍ନାଦେଶ ପାଇ ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା । ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ନୀତି ସେବା ସହିତ ମଙ୍ଗଳାଙ୍କର ସଂପର୍କ ଅଛି । ମହାପ୍ରଭୁଙ୍କର ନବକଳେବର ମହୋତ୍ସବର ଦାରୁସନ୍ଧାନ ମା’ ମଙ୍ଗଳାଙ୍କ ନିର୍ଦ୍ଦେଶରେ ହୋଇଥାଏ । ମା’ ମଙ୍ଗଳା ପ୍ରତିଦିନ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଆନ୍ତି । ସେଠାରୁ ଫେରି ନିଜ ମନ୍ଦିରରେ ବାହାର ବେଢା ଚକଡାରେ କିଛି ସମୟ ବସି ଥକା ମେଣ୍ଟାନ୍ତି। ଏବେ ବି ମନ୍ଦିର ବେଢ଼ାରେ ଏକ ନିର୍ଦ୍ଦିଷ୍ଟ ଚକଡା ଅଛି । ମଙ୍ଗଳାଙ୍କ ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ । ଏହାର ଉଚ୍ଚତା ଛଅଫୁଟ । ଏହି ପୀଠରେ ଚୈତ୍ର ମାସରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଲକ୍ଷ ଲକ୍ଷ ଲୋକଙ୍କର ସମାବେଶ ସେତେବେଳେ ହୁଏ ।

Leave a Reply

Your email address will not be published. Required fields are marked *