ଭୁବନେଶ୍ଵର: ଜଗତ ଜନନୀ ମା’ ଦୁର୍ଗାଙ୍କ ଆବାହନ ପାଇଁ ସମସ୍ତ ଜୀବଜଗତ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ସତେ ଯେମିତି ପ୍ରକୃତି ରାଣୀ ବି ନିଜକୁ ସଜେଇ ଦେଇଛି ମା’ ଦୁର୍ଗାଙ୍କ ସ୍ଵାଗତ କରିବାକୁ । ବିଭିନ୍ନ ସ୍ଥାନରେ ସାର୍ବଜନୀନ ପୂଜା ମଣ୍ଡପଗୁଡ଼ିକରେ ଲୋକେ ଉପଭୋଗ କରୁଥିବା ବେଳେ କେତେକ ପ୍ରାଚୀନ ପୀଠମାନଙ୍କରେ ବି ଏହି ପୂଜାର ମହକ ଟିକେ ନିଅ।ରା । ମୟୂରଭଞ୍ଜ ଜିଲ୍ଲାର ଯେଉଁ କେତୋଟି ସ୍ଥାନରେ ଦେବୀ ଦୁର୍ଗାଙ୍କୁ ପୀଠଦେବୀ ରୂପେ ପୂଜା କରାଯାଇଥାଏ, ତା’ ମଧ୍ୟରୁ ଖିଚିଂର ମା’ କିଚକେଶ୍ଵରୀ ଅନ୍ୟତମ ।
ଭଞ୍ଜ ରାଜବଂଶର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କିଚକେଶ୍ଵରୀ । ମାତ୍ର ଭଞ୍ଜ ରାଜାମାନେ ସାଧାରଣତଃ ଶୈବ ଧର୍ମର ଉପାସକ ଥିଲେ ବି ସେମାନଙ୍କ ରାଜଧାନୀ ନିକଟରେ ଶକ୍ତି ଉପାସକ ଭାବେ ମା’ କିଚକେଶ୍ଵରୀଙ୍କୁ ସ୍ଥାପନ କରିଥିଲେ । ଖିଚିଂର ପୌରାଣିକ ତଥ୍ୟକୁ ବିଶ୍ଲେଷଣ କଲେ ଜଣାପଡ଼େ ଯେ, ଏହା ମହାଭାରତ ସମୟର ବିରାଟ ଗଡ଼ ଥିଲା ଏବଂ ତାହା ରାଜା କିଚକଙ୍କ ଦ୍ଵାରା ଶାସିତ ହେଉଥିଲା । ଆଉ ସେ କିଚକଙ୍କ ଆରାଧ୍ୟ ଦେବୀ ମଧ୍ୟ ଥିଲେ । ସେହି ଅନୁସାରେ ଭଞ୍ଜ ରାଜାମାନେ ଏହାର ନାମ ମଧ୍ୟ ରଖିଥିଲେ ଖିଚିଂ । ଏକଦା ୯୨୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିବା ଏହି ମନ୍ଦିରକୁ ୧୯୩୪ ମସିହାରେ ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ସମୟରେ ପୁନଃନିର୍ମାଣ କରାଯାଇଥିଲା।
ଏହି ଶକ୍ତିପୀଠରେ ଚାମୁଣ୍ଡା ଦେବୀ ମା’ କିଚକେଶ୍ଵରୀଙ୍କ ରୂପରେ ପୂଜା ପାଉଛନ୍ତି। ସେଦିନର ମହାରାଜାମାନେ ଏହି ମନ୍ଦିରରେ ମା’ଙ୍କ ନିତି ପୂଜା ବିଧିର ପରିଚାଳନା ପାଇଁ ପୂଜକଙ୍କ ସମେତ ସେବକମାନଙ୍କୁ ମଧ୍ୟ ନିୟୋଜିତ କରିଥିଲେ। ମା’ କିଚକେଶ୍ଵରୀଙ୍କ ନିତି ପୂଜା ବିଧି ଅନୁସାରେ କରାଯାଉଥିଲେ ମଧ୍ୟ ତାଙ୍କର ଯେଉଁ କେତୋଟି ମୁଖ୍ୟ ପୂଜା ଭାବେ ଗ୍ରହଣ କରାଯାଇଥାଏ, ତା’ ମଧ୍ୟରୁ ପବିତ୍ର ଦୂର୍ଗାପୂଜା ଅନ୍ୟତମ। ପବିତ୍ର ଦୂର୍ଗାପୂଜା ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ଶକ୍ତିକ୍ଷେତ୍ର ମା’ କିଚକେଶ୍ଵରୀଙ୍କ ମନ୍ଦିରରେ ମା’ ଦୁର୍ଗାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥାଏ। ମା’ କିଚକେଶ୍ଵରୀଙ୍କ ପୂଜା ବିଧି କିଛିଟା ନିଆରା। ପ୍ରତିଦିନ ତାଙ୍କର ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଆସିଥାନ୍ତି ଦର୍ଶନ କରି କରୁଣା ଲାଭ କରିବାକୁ। ମାତ୍ର ଏହି ଦୁର୍ଗାପୂଜା ଅବସରରେ ତିନି ଦିନ ବ୍ୟାପି ସ୍ଵତନ୍ତ୍ର ପୂଜା ଦେଖିବାକୁ ବହୁ ଜନସମାଗମ ହୋଇଥାନ୍ତି।
ମା’ଙ୍କ ନିକଟରେ ମାନସିକ କଲେ ଭକ୍ତର ମନସ୍କାମନା ପୂର୍ଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ଵାସ କରିଥାନ୍ତି। ପୌରାଣିକ ମତ ଅନୁସାରେ, ମା’ ଦୁର୍ଗା ଚାମୁଣ୍ଡା ରୂପରେ ଏଠାରେ ପୂଜା ପାଇଥାନ୍ତି। ସେଥିପାଇଁ ଏହାର ପୂଜାବିଧିରେ ମଧ୍ୟ କିଛିଟା ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ତିନି ଦିନ ଧରି ମା’ କିଚକେଶ୍ଵରୀଙ୍କୁ ଭିନ୍ନ ଭିନ୍ନ ବେଶରେ ଭୂଷିତ କରାଯାଇଥାଏ। ଏହି ତ୍ରିଦିନାତ୍ମକ ପୂଜା ଯଥା – ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ପରେ ଶେଷ ଦିନରେ ବିଜୟା ଦଶମୀ ତିଥିରେ ପୂର୍ଣାହୁତି ପର୍ବ ପାଳିତ ହୋଇଥାଏ। ମୟୂରଭଞ୍ଜ ଜିଲ୍ଲାରେ ମା’ କିଚକେଶ୍ଵରୀଙ୍କ ପୀଠ ପୂଜା ଭଳି ଆହୁରି ଅନେକ ପୀଠରେ ମା’ ଦୁର୍ଗା ପୂଜା ପାଇଥାନ୍ତି। ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକାଙ୍କୁ ମଧ୍ୟ ପୀଠରେ ପୂଜା କରାଯାଇଥାଏ। ତେବେ ମା’ କିଚକେଶ୍ଵରୀଙ୍କ ପୀଠର ଆକର୍ଷଣ ଟିକେ ନିଆରା।
