ପୁରୀ: ଆସନ୍ତାକାଲି ସକାଳ ୧୦ ପରଠାରୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ । ସକାଳ ୧୦ଟା ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ମନ୍ଦିର ପ୍ରଶାସନ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଘୋଷଣା କରିଛି ଯେ ରତ୍ନ ଅଳଙ୍କାର ମନ୍ଦିରର ସ୍ଥାୟୀ ଭଣ୍ଡାର, ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ ହେବା ଯୋଗୁଁ ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ସର୍ବସାଧାରଣ ଦର୍ଶନ ସ୍ଥଗିତ ରହିବ।
ତେବେ ହେବ ସବୁ ଅପେକ୍ଷାର ଅନ୍ତ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ବୈଠକ ପରେ ବଡ ସୂଚନା ଦେଲେ ଜିଲ୍ଲାପାଳ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆସନ୍ତାକାଲି ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର । ସକାଳ ୧୦ ଟାରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିବ । ଭକ୍ତ ଉତ୍ତରଦୁଆର ଦେଇ ମହାପ୍ରସାଦ ପାଇଁ ଆନନ୍ଦବଜାର ଯାଇପାରିବେ । କେବଳ ପାଳିଆ ସେବକ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବେ ଶ୍ରୀମନ୍ଦିର । ପାଳିଆ ସେବକ ଓ ୧୧ ଜଣିଆ ଟିମ୍ ସଦସ୍ୟ ପାସ୍ ଦେଖାଇ ଭିତରକୁ ଯିବେ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆସନ୍ତା କାଲି ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ l ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ଏହି ସମୟରେ ବାରଣ ରହିବ l ମହାପ୍ରସାଦ ପାଇବାକୁ ଇଚ୍ଛୁକ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ l ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପରେ ପ୍ରବେଶ କଟକଣା ପ୍ରତ୍ୟାହାର ହେବ ଓ ଦର୍ଶନ ସ୍ୱାଭାବିକ ହେବ l
