ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରିଥିବା ଖବର ମିଳିଛି। ଏହାକୁ ନେଇ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇବା ମାତ୍ରେ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦୃଷ୍ଟିକୋଣରୁ ଆକ୍ସନ ମୋଡକୁ ଆସିଛନ୍ତି। ପ୍ରକାଶିତ ସୂଚନା ଅନୁଯାୟୀ, ଏହି ତିନିଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି। ଏହି ତିନିଜଣ ପାକିସ୍ତାନୀ। ହସନେନ୍ ଅଲି ରାୱଲପିଣ୍ଡିର ବାସିନ୍ଦା। ଆଦିଲ୍ ହୁସେନ୍ ଉମରକୋଟର ବାସିନ୍ଦା। ତୃତୀୟ ମହମ୍ମଦ ଉସମାନ ବାହାୱଲପୁରର ବାସିନ୍ଦା। ଏହି ତିନିଜଣ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ।
ସୂଚନା ଅନୁଯାୟୀ, ଏହି ତିନି ଜଣ ଆତଙ୍କବାଦୀ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କାଠମାଣ୍ଡୁରେ ପହଞ୍ଚିଥିଲେ। ସେଠାରୁ ସେମାନେ ଗତ ସପ୍ତାହରେ ବିହାରରେ ପ୍ରବେଶ କରିଥିଲେ। ଆଶଙ୍କା କରାଯାଉଛି ଯେ ଏହି ଆତଙ୍କବାଦୀମାନେ ଦେଶର କୌଣସି ସ୍ଥାନରେ ଆତଙ୍କବାଦୀ ଘଟଣା ଘଟାଇବାକୁ ଷଡଯନ୍ତ୍ର କରୁଛନ୍ତି। PHQ ସମସ୍ତ ଜିଲ୍ଲାର ଗୁଇନ୍ଦା ସଂସ୍ଥାଗୁଡ଼ିକୁ ଗୁପ୍ତ ସୂଚନା ସଂଗ୍ରହ କରିବା ଏବଂ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛି। ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ତିନି ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି। ସେମାନଙ୍କ ପାସପୋର୍ଟ ସମ୍ପର୍କିତ ସୂଚନା ସୀମାନ୍ତ ଜିଲାଗୁଡ଼ିକର ଅଧିକାରୀଙ୍କ ସହ ଶେୟାର କରାଯାଇଛି। ବିହାରରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ପୋଲିସ ମୁଖ୍ୟାଳୟ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିବା ପରେ ହାଇ ଆଲର୍ଟ ଜାରି କରାଯାଇଛି।
