ଭୁବନେଶ୍ଵର: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ ଖୁଲାସା । ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ ପୁରୀ ବଳଙ୍ଗା ପୀଡ଼ିତା । ଗୃହରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଏମ୍ସରେ ଚିକିତ୍ସା ବେଳେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହା କହିଥିଲେ । ଦିଲ୍ଲୀ କୋର୍ଟ ଓ ଏମ୍ସ ଡାକ୍ତରଙ୍କ ଦ୍ବାରା ବୟାନ ରେକର୍ଡ ବେଳେ ସତ ମାନିଥିଲେ ପୀଡ଼ିତା ।
ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ବଳଙ୍ଗା ପୀଡିତାଙ୍କ ଉପରେ ପ୍ରଶ୍ନ କରିଥିଲେ ଯେ, ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଅଛି ବୋଲି ପୀଡ଼ିତା ବୟାନ ଦେଇଥିଲେ କି? ନା ଅନ୍ୟ କେହି ସାକ୍ଷୀ ନଥିବା ଜାଣି ପୋଲିସ ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା? ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ଆଉ କହିଥିଲେ ଯେ, ଦିଲ୍ଲୀ ଏମ୍ସରେ ୧୪ ଦିନ ଚିକିତ୍ସାଧୀନ ରହିବା ପରେ ଅଗଷ୍ଟ ୨ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କର ନୂଆଦିଲ୍ଲୀ ସାକେତର ସାଉଥ ଡିଷ୍ଟ୍ରିକ୍ଟ କୋର୍ଟ ନମ୍ବର ୩୭ ଦ୍ୱାରା ଧାରା ୧୮୩ରେ ଜମାନବନ୍ଦୀ ରେକର୍ଡ କରାଯାଇଥିଲା । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଶେଷ କରି, ଚୂଡ଼ାନ୍ତ ରିପୋର୍ଟକୁ ମିଷ୍ଟେକ ଅଫ ଫ୍ୟାକ୍ଟ ଭାବେ ବଳଙ୍ଗା ଥାନା ତରଫରୁ ସେପ୍ଟେମ୍ବର ୧୭ ତାରିଖରେ କୋର୍ଟରେ ଦାଖଲ କରାଯାଇଛି ।
ସୂଚନା ଅନୁସାରେ, ଗତ ଜୁଲାଇ ୧୯ ତାରିଖରେ ପୁରୀ ବଳଙ୍ଗା ଥାନାରେ କିଛି ଅଜଣା ଲୋକ ତାଙ୍କ ଝିଅକୁ ବଳପୂର୍ବକ ନେଇ କିରୋସିନି ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ କରିଥିଲେ ପୀଡିତାଙ୍କ ମା’ । ଏହି ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରିଥିଲା ପୋଲିସ । ପ୍ରଥମେ ପୀଡିତା ଜଣଙ୍କ ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ପରେ ପରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇ ଦିଆଯାଇଥିଲା । ଦିଲ୍ଲୀ ଏମ୍ସରେ ୧୪ ଦିନ କାଳ ଜୀବନ ମରଣ ସହ ଲଢି ଲଢି ଶେଷରେ ପୀଡ଼ିତା ଜଣକ ଆଖି ବୁଜିଥିଲେ । ତେବେ ଆଖି ବୁଜିବା ପୂର୍ବରୁ ପୀଡ଼ିତାଙ୍କ ଜମାନବନ୍ଦୀ ରେକର୍ଡ କରାଯାଇଥିଲା । ଦିଲ୍ଲୀ କୋର୍ଟ ଓ ଏମ୍ସ ଡାକ୍ତରଙ୍କ ଦ୍ବାରା ବୟାନ ରେକର୍ଡ ସମୟରେ ସେ ନିଜେ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇଥିବା କଥା କହିଥିଲେ ।
