ପୁରୀ: ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ରତ୍ନ ସିଂହାସନରେ ଉଭା ହେବେ ମହାପ୍ରଭୁ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶରେ ସଜ୍ଜିତ ହେବେ । ଏହି ବେଶ ଦ୍ବିପହର ଧୂପ ସରିବା ପରେ ଅନୁଷ୍ଠିତ ହେବ ଏବଂ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ ହେବ ।
ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିବାରୁ ସେହି ସ୍ମୃତିକୁ ବହନ କରି ଏହି ବଳିବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି । ଏହି ବଳିବାମନ ବେଶରେ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ କରାଯାଏ । ମହାପ୍ରଭୁ ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ କରାଯାଇଥାଏ । ସେହି କଳା କନାର ସମ୍ମୁଖ ପଟେ ଧଳା କନା ସିଲେଇ କିଛି ଧଳା ଗାର ସୃଷ୍ଟି । ଏହା ଭସ୍ମ ରେଖା ବା ତିଳକର ପ୍ରତୀକ ରୂପେ ଗୃହୀତ। ସେହିପରି ଏକ କିରୀଟ ମଧ୍ୟ ମହାପ୍ରଭୁଙ୍କ ମସ୍ତକ ଉପରେ ଶୋଭା ପାଉଛି । ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧାରଣ କରି ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁ ଭୂଷିତ ହୋଇଥାଆନ୍ତି ।
