ହସୁଛି କାଶତଣ୍ଡି, ପାର୍ବଣ ପାଇଁ ସଜେଇ ହେଲାଣି ପ୍ରକୃତିରାଣୀ

ଭୁବନେଶ୍ଵର: ଋତୁ ଚକ୍ରର ପରିବର୍ତନରେ ଧାରାଶ୍ରାବଣ ଧରାପୃଷ୍ଟରୁ ଧୀରେ ଧୀରେ ଅପସରି ଯିବାପାଇଁ ଚେଷ୍ଟା କରୁଥିବା ଅବସରରେ ଦିଗବଳୟ ସେପାରିରୁ ଉଙ୍କି ମାରେ ଶରତ ।  “ଭାଦ୍ରଆଶ୍ୱିନ ସରତରେ ନିର୍ମଳଶୋଭା ଜଗତରେ” କବିଙ୍କର ଏହି ଉକ୍ତିରୁ ସ୍ପଷ୍ଟ ବାରିହୁଏ ଶରତ ଋତୁ ପ୍ରକୃତିରେ ନିର୍ମଳ ଓ ସ୍ୱଛତା ଭରିଦିଏ । ଆକାଶ ବୁକୁରୁ ହଟିଯାଏ ଘନବାଦଲର ବିଭିଷିକା । ସାନ୍ଧ୍ୟ ଆକାଶନିର୍ମଳ । ତାରାଗଣ ମଧ୍ୟେ ଭୋଦୁଆ ଜହ୍ନର ଅଭିସାର ମନମୁଗ୍ଧକରେ…

ଭୁବନେଶ୍ଵର: ଋତୁ ଚକ୍ରର ପରିବର୍ତନରେ ଧାରାଶ୍ରାବଣ ଧରାପୃଷ୍ଟରୁ ଧୀରେ ଧୀରେ ଅପସରି ଯିବାପାଇଁ ଚେଷ୍ଟା କରୁଥିବା ଅବସରରେ ଦିଗବଳୟ ସେପାରିରୁ ଉଙ୍କି ମାରେ ଶରତ ।  “ଭାଦ୍ରଆଶ୍ୱିନ ସରତରେ ନିର୍ମଳଶୋଭା ଜଗତରେ” କବିଙ୍କର ଏହି ଉକ୍ତିରୁ ସ୍ପଷ୍ଟ ବାରିହୁଏ ଶରତ ଋତୁ ପ୍ରକୃତିରେ ନିର୍ମଳ ଓ ସ୍ୱଛତା ଭରିଦିଏ । ଆକାଶ ବୁକୁରୁ ହଟିଯାଏ ଘନବାଦଲର ବିଭିଷିକା । ସାନ୍ଧ୍ୟ ଆକାଶନିର୍ମଳ । ତାରାଗଣ ମଧ୍ୟେ ଭୋଦୁଆ ଜହ୍ନର ଅଭିସାର ମନମୁଗ୍ଧକରେ । ଆକାଶ ରୁ ଝରିପଡ଼େ ମେଞ୍ଚା ମେଞ୍ଚା ଜ୍ୟୋତ୍ସ୍ନା ଓ ଶୀତଳ ଶିଶିର ବିନ୍ଦୁ l ବାଡିରୁ ଝରିଆସେ ଗଙ୍ଗଶିଉଳି ଓ ଜହ୍ନି ଫୁଲର ବାସ୍ନା । କିନ୍ତୁ ଅନେକ ଫୁଲର ସମ୍ଭାର ଭିତରେ କାଶତଣ୍ଡି ଫୁଲ ନିଆରା। ଏହି କାଶତଣ୍ଡି ଫୁଲ ଶରତ ଋତୁର ଆବାହକ । ନଈପଠାରେ ସବୁଜ ଗୁଳ୍ମରାଶି ମଧ୍ୟରେ ଶରତ ର ଆଗମନରେ ମୁଣ୍ଡ ଟେକେ କାଶତଣ୍ଡି, କବିଗଣ ଏହାକୁ କାମଦେବଙ୍କ ଚାମର ରୂପେ ବର୍ଣ୍ଣନା କରନ୍ତି। ସବୁଜ ଧରଣୀ ବୁକୁରେ ଶୁଭ୍ର କାଶତଣ୍ଡିର ଲହରି ତରଙ୍ଗାଇତ ରୂପରାଜି କାହାରବା ମନଲୋଭା ନ ହେବ?

ଇଏ ପ୍ରେମର ପ୍ରତୀକ ରୋମଞ୍ଚ ଭରା କାଶତଣ୍ଡି, ଜହ୍ନରାତିର ଜ୍ୟୋତ୍ସ୍ନାରେ ବିଧୌତ ଧରଣୀ ବୁକୁରେ କାଶତଣ୍ଡି ଫୁଲର ସମ୍ଭାର ଜନମାନସରେ ରୋମାଞ୍ଚ ସୃଷ୍ଟି କରେ। ଏଇ କାଶତଣ୍ଡିର ଅପରୂପ ଶୋଭା ପ୍ରlଚୁଯ୍ୟ ଭିତରେ ଆବିର୍ଭାବ ହୁଅନ୍ତି ମା ଦୁର୍ଗା । ଏଇ ଭାରତବର୍ଷ ଭରପୁର ହୋଇଉଠେ ଶାରଦୀୟ ପର୍ବରେ । ସୁନିର୍ମଳ ସ୍ୱଚ୍ଛ ଶରତ ବୁକୁରେ କାଶତଣ୍ଡୀ ର ରୋମାଞ୍ଚ ଭରା ରୂପ ଲାବଣ୍ୟ, ପ୍ରେମିକ, ଭାବୁକ, କବି, ଲେଖକ ସମସ୍ତଙ୍କୁ ଆକୃଷ୍ଟ କରେ । ସେ ଚାଷ ଜମି ହେଉ କି ନଦୀ ପଠା ସବୁଆଡେ ଏବେ ଦେଖିବାକୁ ମିଳୁଛି ଧବଳମୟ ପରି ବେଶ । ନଦୀନାଳ ହେଉକି ରାସ୍ତା କଡ ଧଳା ଚିକ୍ ଚିକ୍ କରୁଥୁବା ଏହି କାଶତଣ୍ଡି ପାର୍ବଣରେ ମାଙ୍କୁ ସତେ ଯେମିତି ସ୍ଵାଗତ ଜଣାଉଛି । ଧରାପୃଷ୍ଠକୁ ପୁଜା ପୁର୍ବରୁ ବିଭିନ୍ନ ସ୍ଥାନରେ କାଶତଣ୍ଡିର ସମ୍ଭାର ଦେଖୁବାକୁ ମିଳିଛି । ମାଙ୍କ ଆଗମନ ର ବାର୍ତ୍ତା ନେଇ କାଶତଣ୍ଡି ଧରାକୁ ସଜ୍ଜିତ କଲାଣି । ଧରଣୀର ଏହି ସୁନ୍ଦର ମାଦକତା ରୁପକୁ ମନ ଭରି ଉପଭୋଗ କରିବା ପାଇଁ ରାସ୍ତାରେ ବାଟୋଇଟେ ଘଡିଏ ପାଇଁ ଅଟକିଯାଉଛି । ଏହି ସୌନ୍ଦର୍ଯ୍ୟ କୁ ଦେଖି ଆତ୍ମହରା ବିମୁଗ୍ଧ ଭାବୁକକବି । ମନରେ ଅନେକ ପ୍ରଶ୍ନ କ’ଣ ଲେଖିବ କାଶତଣ୍ଡିର ଏହି ରୂପ ସମ୍ଭାର କୁ ନେଇ ।

ଏହି ଶୁଭ୍ର ରେଶମୀ କାଶତଣ୍ଡିକୁ ନେଇ ରହିଛି ଏକ ସୁନ୍ଦର କାହାଣୀ । ଗରୀବ ଘରର କାଶତଣ୍ଡି ନାମକ ଏକ ସୁନ୍ଦର ଝିଅଟିଏ ସବୁବେଳେ ନଦୀ ପଠା ରେ ବୁଲୁଥାଏ । ଯାହାର ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ତାକୁ ପ୍ରେମ କରି ବସିଥିଲେ ସେଇ ରାଜ୍ୟର ରାଜକୁମାର। ଦୁହେଁଙ୍କ ମଧ୍ୟରେ ଧୀରେ ଧୀରେ ନିବିଡ଼ ହେଉଥିଲା ଏହି ପ୍ରେମ । ସବୁଦିନ ନଦୀ ପଠାରେ ସେ ଦୁହେଁ ଦେଖାହୁଅନ୍ତି । ଯେତେବେଳେ ଏହି ଖବର ରାଜାଙ୍କ ପାଖରେ ପହଁଚିଲା କାଶତଣ୍ଡି ପରି ଗରିବ ଓ ଛୋଟ ଜାତିର ଝିଅ ଟିକୁ ନିଜର ବୋହୁ ଭାବେ ଗ୍ରହଣ କରିବା ପାଇଁ ଅରାଜି ହେଲେ ରାଜା । ରାଜାଙ୍କ ଆଦେଶରେ ରାଜାଙ୍କ ସୈନ୍ୟ ସାମନ୍ତମାନେ ରାଜକୁମାର ଓ କାଶତଣ୍ଡୀଙ୍କୁ ଅଲଗା କରିବା ପାଇଁ ରାଜକୁମାରଙ୍କ ଆଖି ଆଗରେ କାଶତଣ୍ଡିକୁ ଜିଅନ୍ତା ପୋତି ଦେଲେ l ଛାତି ଫଟାଇ ଚିତ୍କାର କରି କାନ୍ଦୁଥିବା ରାଜକୁମାରଙ୍କୁ ଶେଷ ସମୟରେ କଥା ଦେଇଥିଲା କାଶତଣ୍ଡୀ “ହେ ରାଜନ ଆମର ଏଇ ଶାଶ୍ଵତ ପ୍ରେମକୁ ଉଦ୍ଜୀବିତ ରଖିବା ପାଇଁ ତୁମକୁ ବଞ୍ଚି ବାକୁ ପଡ଼ିବ । ମୁଁ ପ୍ରତିବର୍ଷ ଶରତ ଋତୁରେ କାଶତାଣ୍ଡି ଫୁଲ ରୂପରେ ଏ ଧରା ପୃଷ୍ଠରେ ଜନ୍ମ ନେବି । ମୋର ଗନ୍ଧ ହିନ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନରୁ କ୍ରୋଧ, ହିଂସାକୁ ଦୂରେଇ ଦେଇ ପ୍ରେମର ରଙ୍ଗ ଭରିଦେବ । ପ୍ରତିଟି ଶରତ ଆମ ପାଇଁ ମିଳନ ର ଋତୁ ହେବା” । ଏହାପରେ ରାଜକୁମାର ମଧ୍ୟ ଚିର କୁମାର ହେଇ ରହିଗଲେ ।

ତେବେ କିମ୍ବଦନ୍ତୀ ଯାହା ବି ହଉନା ନା କାହିଁକି ନିଜର ସୁନ୍ଦର ରୂପ ରେ ସମସ୍ତ ଙ୍କୁ ବିମୋହିତ କରୁଥିବା ଏଇ ଘାସ ଫୁଲ ଟି ଯେବେ ଶୀତଳ ପବନର ଛୁଆଁ ରେ ଦୋଳାୟମାନ ହେଉଥାଏ ଲାଗେ ସତେ ଯେମିତି ପ୍ରେମିକା ଟିଏ ଧଳା ଓଢ଼ଣି ପକାଇ ଧାଇଁ ଯାଉଛି ତାର ପ୍ରେମିକ ପାଖକୁ । କବି ଟିଏ ତାର କବିତା ମାଧ୍ୟମରେ ହେଉ ବା ଲେଖକଟିଏ ତାର ଲେଖନୀ ମାଧ୍ୟମରେ କାସତଣ୍ଡି ର ସୁନ୍ଦରତାକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିପ୍ରକାଶ କରିଥାନ୍ତି।

Leave a Reply

Your email address will not be published. Required fields are marked *