ଚଣ୍ଡିଗଡ: ପ୍ରବଳ ବନ୍ୟାରେ ଉବୁଟୁବୁ ପଞ୍ଜାବ । ସେପଟେ ରାଜ୍ୟରୁ ଆସିଛି ଆଉ ଏକ ବଡ ଖବର । ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଗତ ୨ ଦିନ ହେଲାଣି ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ଖରାପ ଥିଲା। କିନ୍ତୁ ସେ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ଗତକାଲି ସଂନ୍ଧ୍ୟାରେ ତାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତ ଦୁଇ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ରିପୋର୍ଟ କରାଯାଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉଲ୍ଲେଖନୀୟ ଉନ୍ନତି ହୋଇନଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ପରେ, ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀ ମାନଙ୍କୁ ଭାଇରାଲ୍ ଜ୍ୱର ଏବଂ କିଛି ପାଚନ ସମସ୍ୟା ରହିଛି, କିନ୍ତୁ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତାର ଖବର ପାଇବା ପରେ, ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ୍ ଗୁରୁବାର ତାଙ୍କ ସରକାରୀ ବାସଭବନକୁ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ।
