ଭୁବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୭ରେ ଲାଗିବ ୨୦୨୫ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଶନିଙ୍କ ରାଶି କୁମ୍ଭରେ ଲାଗିବ। ଚନ୍ଦ୍ରଗ୍ରହଣ ରାତି ୯:୫୮ ରେ ଆରମ୍ଭ ହୋଇ ୧:୨୬ ରେ ଶେଷ ହେବ। ଯାହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଗ୍ରହଣ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ । ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ମାନ୍ୟତା ରହିଛି । ଏହି ଦିନ ପିତୃପକ୍ଷ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଦେବା ବିଧେୟ । କାରଣ , ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ ।
ଜ୍ୟୋତିର୍ବିଦ୍ଙ୍କ ମତାନୁସାରେ ୭ ସେପ୍ଟେମ୍ବରକୁ ଦେଖାଯିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବ। ଯାହାକୁ ବ୍ଲଡ୍ ମୁନ୍ ବୋଲି କୁହାଯିବ । ଅନେକ ବର୍ଷକୁ ଥରେ ଏଭଳି ଚନ୍ଦ୍ରଗ୍ରହଣ ଦେଖାଯାଏ । ୭ ସେପ୍ଟେମ୍ବରରେ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରେ ପାକ ତ୍ୟାଗ ସମୟ ଆରମ୍ଭ ହେବ । ଏହି ସମୟରେ ସମସ୍ତ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ । ଏହି ଚନ୍ଦ୍ରଗ୍ରହଣ ଭାରତ ସହ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜି ଆଦି ସ୍ଥାନରେ ଦେଖାଯିବ । ଏହି ଚନ୍ଦ୍ରଗ୍ରହଣ ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଆଦି ପାଇଁ ଶୁଭ ଥିବାବେଳେ ମିଥୁନ, କର୍କଟ, ବିଛା, ମୀନ ପାଇଁ ଅଶୁଭ ଥିବା ଜ୍ୟୋତିର୍ବିଦ୍ମାନେ ଗଣନା କରିଛନ୍ତି ।
