ଭୁବନେଶ୍ଵର: ଆସନ୍ତା ୧୬ ତାରିଖରେ ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ । ନାମାଙ୍କନ ବେଳେ ଉପସ୍ଥିତ ସହ ବିଶାଳ ସମାବେଶ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ସୂଚନା ଦେଇଛନ୍ତି । ସମାବେଶରେ ଦୁଇ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍ ହେବେ । ତେବେ ନୂଆପଡା ଉପନିର୍ବାଚନ ପାଇଁ ଜୟ ଢୋଲକିଆଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ବେଳେ ଖାଲି ଘୋଷଣା ବାକି ରହିଛି ।
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରମୁଖ ତିନି ରାଜନୈତିକ ଦଳ ବିଜେପି-ବିଜେଡି ଓ କଂଗ୍ରେସ ନିଜ ନିଜ ଷ୍ଟ୍ରାଟେଜିରେ ଆଗକୁ ବଢ଼ୁଛନ୍ତି । ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ଉପନିର୍ବାଚନକୁ ସାମ୍ନା କରୁଛି । ଏମିତିରେ ନୂଆପଡ଼ା ଦଖଲ ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ପ୍ରଚାରକୁ ଓହ୍ଲାଇଥିବା ବେଳେ ମିଶ୍ରଣ ପର୍ବ କରି ବଳ ବଢ଼ାଇବାରେ ଲାଗିଛି କଂଗ୍ରେସ । ନୂଆପଡ଼ା ଖୁଣ୍ଟିଆ ଭବନରେ ନୂଆପଡ଼ା ଏନଏସିର ୫୦ରୁ ଅଧିକ ନେତା କର୍ମୀ ବିଜେଡି ଓ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି । ବିଜେଡି ମଧ୍ୟ ନିଜ ଗଡ଼ ରକ୍ଷା ପାଇଁ ପ୍ରସ୍ତୁତ କରିଛି ଯୋଜନା । ନୂଆପଡା ଉପରେ ଅଭିଜ୍ଞତା ଥିବା ନେତାଙ୍କୁ ଦଳ ଦେଇଛି ଗୁରୁଦାୟିତ୍ବ । ୩ଟି ଭିନ୍ନ ଭିନ୍ନ କମିଟି ଗଠନ କରିଛି ବିଜେଡି । ଷ୍ଟିଅରିଂ କମିଟି, ଜୋନାଲ କମିଟି ଓ ଲୋକାଲ ଆକ୍ସନ କମିଟି ଗଠନ କରି ପଶ୍ଚିମ ଓଡ଼ିଶା ନେତାଙ୍କୁ ମଙ୍ଗ ସମ୍ଭାଳିବାକୁ କୁହାଯାଇଛି । ରାଜ୍ୟ ନେତୃତ୍ବ ସହ ସମନ୍ବୟ ରକ୍ଷା କରି ଷ୍ଟିଅରିଂ କମିଟି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବେ । ସେହିପରି ଜୋନାଲ କମିଟି ପଞ୍ଚାୟତ ସହ ମୁନିସିପାଲିଟି ଜଗିବେ । ଏହାସହ ଲୋକାଲ ଆକ୍ସନ କମିଟି ମଧ୍ୟ ସ୍ଥାନୀୟ ଆଧାରରେ ରଣନୀତି କରିବାକୁ ଯୋଜନା ରହିଛି ।
