ଭୁବନେଶ୍ଵର: ଚାଷୀଙ୍କ ଆକାଉଣ୍ଟ ଆସିଲା ଟଙ୍କା । ନୂଆଁଖାଇ ପୂର୍ବରୁ ସିଏମ୍ କିଷାନ୍ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ରାଜ୍ୟ ସରକାର । ରାଜ୍ୟର ପ୍ରାୟ ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇଛନ୍ତି । ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁନ୍ନତ ଜନଜାତି ସମୂହ ଓ ସହରାଞ୍ଚଳର ଚାଷୀଙ୍କ ଖାତାକୁ ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା ଯାଇଥିବା ସୂଚନା ମିଳିଛି । ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଉଛି। ଆଜି ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି ।
କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ ଘୋଷଣା କରିଛନ୍ତି । ଚାଷୀ ପଞ୍ଜୀକରଣ ଅବଧି ବଢ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କେତେ ଦିନ ବଢ଼ିବ ତାହା ଖୁବ୍ ଶୀଘ୍ର ଘୋଷଣା ହେବ । ଆଉ ସପ୍ତାହେ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେଭି । ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏନେଇ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କହିରଖୁଛୁ ଯେ, ସିଏମ କିଷାନ ଯୋଜନାରେ ଚାଷୀ ମାନଙ୍କୁ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ମିଳୁଛି । ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି ସରକାର ।
