ଭୁବନେଶ୍ୱର (ତା ୧୯/ ୧୦ ରିଖ ): କରୁଣା, ସେବା ଓ ସମର୍ପଣର ଭାବଧାରାରେ ଗଠିତ ମୁକ୍ତା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ଶ୍ରୀ ଶ୍ରୀ ମା’ ଆନନ୍ଦ ଆଶ୍ରମ ପରିସରରେ ପିଲାମାନଙ୍କ ସହିତ ଦୀପାବଳି ପାଳନ ସହିତ ଆନୁଷ୍ଠାନିକ ଭାବରେ ଫାଉଣ୍ଡେସନର ଶୁଭାରମ୍ଭ ହୋଇଯାଇଛି।
ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ଟ୍ରଷ୍ଟି ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଫାଉଣ୍ଡେସନର ଉପଦେଷ୍ଟା ନମ୍ରତା ଚଢ଼ା, ସମାଜସେବୀ ନିବେଦିତା ଲେଙ୍କା, ଫାଉଣ୍ଡେସନର ସହ-ପ୍ରତିଷ୍ଠାତ୍ରୀ ସଙ୍ଘମିତ୍ରା ପାଢ଼ୀ, ଉପଦେଷ୍ଟା ପ୍ରିତିଛନ୍ଦା ଧଳ ଏବଂ ବରିଷ୍ଠ କୋର କମିଟି ସଦସ୍ଯ ଚନ୍ଦନା ତ୍ରିପାଠୀ ଓ ଲୋପାମୁଦ୍ରା ଜେନା ପ୍ରମୁଖ ଯୋଗ ଦେଇ ଆଶ୍ରମର ଅନ୍ତେବାସୀ ପିଲାମାନଙ୍କ ସହିତ ଆନନ୍ଦପୂର୍ଣ୍ଣ ଆଲୋଚନା, ଦୀପ ପ୍ରଜ୍ଜ୍ୱଳନ ତଥା ଉପହାର ବଣ୍ଟନ ସହିତ ଆଲୋକର ପର୍ବ ଦୀପାବଳି ପାଳନ କରିଥିଲେ ଯାହା ଦୀପ ଉତ୍ସବର ପ୍ରକୃତ ଅର୍ଥକୁ ଜୀବନ୍ତ କରିଥିଲା।
ମୁକ୍ତାର ଅର୍ଥ ମୁକ୍ତି; ମୁକ୍ତା ଯେପରି ସବୁଠାରୁ ଅମୂଲ୍ୟ ରତ୍ନ ସେପରି ପିଲାମାନେ ମୁକ୍ତ ଭାବରେ ସେମାନଙ୍କ ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହିତ ମୁକ୍ତିର ଜୀବନ ଆପଣେଇବା ଉଚିତ। ଜୀବନର କୌଣସି ବି ପରିସ୍ଥିତିରେ ମିଛର ଆଶ୍ରୟ ନେବା ଉଚିତ ନୁହଁ । ସତ୍ ମାର୍ଗରେ ହିଁ ସିଦ୍ଧି ପ୍ରାପ୍ତ ହୁଏ ବୋଲି ଅତିଥିମାନେ ସେମାନଙ୍କ ଅଭିଭାଷଣରେ କହିଥିଲେ।
“ମୁକ୍ତା ଫାଉଣ୍ଡେସନର ଦୃଷ୍ଟିକୋଣ ହେଉଛି ଆବଶ୍ୟକତା ଥିବା ଲୋକଙ୍କ ପାଇଁ ସମର୍ଥନର ହାତ ବଢ଼େଇବା। ପିଲାମାନଙ୍କ ସହିତ ଦୀପାବଳି ପାଳନ ସହ ଫାଉଣ୍ଡେସନର ଯାତ୍ରାର ଆରମ୍ଭ ହେବା ସହ ତାଙ୍କର ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି ଏହି ଅବସରରେ ପ୍ରତିଷ୍ଠାତ୍ରୀ ଶ୍ରୀମତୀ ପଣ୍ଡା କହିଥିଲେ।
ଏହି କାର୍ଯ୍ୟକ୍ରମରେ ସବିତା ପଟ୍ଟନାୟକ, ସ୍ୱାତୀ ମହାନ୍ତି, ସୁପ୍ରିୟା ପଣ୍ଡା ଏବଂ ମିଲି ରଣାଙ୍କ ସହିତ ଆଶ୍ରମର କର୍ମକର୍ତ୍ତାମାନେ ଉପସ୍ଥିତ ରହି ମୁକ୍ତା ଫାଉଣ୍ଡେସନର ଆରମ୍ଭ ପାଇଁ ପ୍ରତିଷ୍ଠାତ୍ରୀ ଶ୍ରୀମତୀ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସହଯୋଗ କରିଥିଲେ।
