ଭୁବନେଶ୍ଵର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ କୁକୁର ଗଣନା ଆରମ୍ଭ କରିବ BMC । ଭୋର ସମୟରେ କୁକୁର ଗଣନା କରାଯିବ । ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି । ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି କହିଛନ୍ତି ବିଏମସି କମିସନର ଚଞ୍ଚଳ ରାଣା । କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ । ଏହାର ସବୁ ତଥ୍ୟ ବିଏମସି ପାଖରେ ରହିବ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି, ସବୁ ତଥ୍ୟ ରହିବ । ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ । ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ ।
ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMC ଅଧିକାରୀ ସାମିଲ ହେବେ । ପ୍ରାୟ ୪ ଶହ ସ୍ୱଚ୍ଛସାଥୀ, ସଫେଇ କର୍ମଚାରୀ ଏବଂ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଏଥିରେ ନିୟୋଜିତ କରାଯିବ । ପ୍ରତ୍ୟେକ ୱାର୍ଡ ପାଇଁ ଜଣେ ସୁପରଭାଇଜର ରହିବେ। ତାଙ୍କ ଅଧୀନରେ ୪ଟି ଟିମ୍ ଗଠନ କରାଯିବ। ଏହି ଟିମ୍ରେ ୪ରୁ୫ ଜଣ ସଦସ୍ୟ ରହିବେ। ଏହି ଟିମ୍ର କାମ ହେଉଛି ବାଇକ୍ରେ ବିଭିନ୍ନ ଗଳି ବୁଲି କୁକୁର ଗଣନା କରିବେ। ତେବେ ଗଣନା ପୂର୍ବରୁ BMC ପକ୍ଷରୁ ସମସ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ କୁକୁର ଗଣନା ଶେଷ ହେବ । ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ ।
