ନୂଆଦିଲ୍ଲୀ: ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଉଦ୍ଦେଶ୍ୟରେ ନିକଟରେ ଭବ୍ୟ ଏବଂ ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ବର୍ଗତଃ ରାଉତଙ୍କର ଅଠାଅଶୀ ତମ ଶହୀଦ ଦିବସ ଅବସରରେ ୱାର୍ଲଡ଼ ଓଡ଼ିଶା ସୋସାଇଟି ଏବଂ ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ସହଯୋଗରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଏକ ଆନ୍ତର୍ଜାତିକ ୱେବିନାର ଆୟୋଜିତ ହୋଇଯାଇଛି। ଏହି ଆଭାସୀ ବୈଠକରେ ଶତାଧିକ ବୁଦ୍ଧିଜୀବୀ, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବୃନ୍ଦ, ବିଭିନ୍ନ ଦେଶର ଓଡ଼ିଆ ସମାଜର ପ୍ରତିନିଧି, ୱାର୍ଲଡ଼ ଓଡ଼ିଶା ସୋସାଇଟିର ସଦସ୍ୟ ଓ କର୍ମକର୍ତ୍ତା, ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
ସ୍ମୃତି ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରି ଉତ୍କଳ ଭାରତୀର ସଂସ୍ଥାପକ ସମ୍ପାଦକ ଡଃ ନିର୍ମଳ ପଟ୍ଟନାୟକ ଜାତୀୟ ରାଜଧାନୀରେ ବାଜି ରାଉତଙ୍କର ଏକ ସୁରମ୍ୟ ସ୍ମୃତିପୀଠ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ। ବାର ବର୍ଷର ବାଳକ ବାଜି ରାଉତ ନିଜ ଡଙ୍ଗାରେ ଫିରିଙ୍ଗିମାନଙ୍କୁ ନେବା ପାଇଁ ମନା କରିବା ପରେ ସେମାନଙ୍କ ଗୁଳି ଦ୍ୱାରା ନୃଶଂସ ଭାବରେ ହତ୍ୟାର ଶିକାର ହେବାର ଉପାଖ୍ୟାନକୁ ସ୍ମରଣ କରି ବରେଣ୍ୟ ଅତିଥିମାନେ ଓଡ଼ିଶାର ଏହି ବିସ୍ମୟ ବାଳକ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ବାଜି ରାଉତଙ୍କୁ ଦେଶପ୍ରେମର ମହାନ ପୂଜାରୀ ଆଖ୍ୟା ଦେଇ ଆନ୍ତର୍ଜାତିୟ ଅଶୋଭନୀୟ ବିରୋଧୀ ଆନ୍ଦୋଳନର ନିର୍ଦ୍ଦେଶିକା ତଥା ସମ୍ପାଦିକା ଡଃ ଅରୁନ୍ଧତୀ ଦେବୀ ବର୍ତ୍ତମାନର ଯୁବ ପୀଢ଼ି ଦେଶ ମାତୃକା ପ୍ରତି ତାଙ୍କର ଉତ୍ସର୍ଗୀକୃତ ସାଧନାକୁ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ବାଜି ରାଉତଙ୍କର ସାହସ ଅନନ୍ୟ ଓ ଅତୁଳନୀୟ ଥିଲା ବୋଲି ଉଲ୍ଲେଖ କରି ଭାରତ ଇତିହାସରେ ତାଙ୍କର ଯୋଗଦାନ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହେବା ଉଚିତ ବୋଲି କହିଥିଲେ । ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ବାଜି ରାଉତଙ୍କର ଆଦର୍ଶ ଜୀବନ ଏବଂ ମହାନ ଦର୍ଶନ ଯୁଗ ଯୁଗ ଧରି ଆମର ସମାଜକୁ ପ୍ରେରଣା ଯୋଗାଇ ଚାଲିଥିବ ବୋଲି ଦର୍ଶାଇଥିଲେ ।
ବାଜି ରାଉତଙ୍କୁ ଜାତୀୟ ଗୌରବ ବୋଲି ସୂଚାଇ ଓଲିଉଡ ଅଭିନେତା ଦେବାଶିଷ ପାତ୍ର ତାଙ୍କର ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ସଭାପତି ଏବଂ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଦାସ ଢେଙ୍କାନାଳର ପ୍ରଜା ଆନ୍ଦୋଳନ, ବ୍ରିଟିଶ ସୈନିକଙ୍କ ଦୌରାତ୍ମ୍ଯର ବିଭୀଷିକା ଓ ବାଜି ରାଉତଙ୍କର ଲୋମହର୍ଷଣକାରୀ ହତ୍ୟାର ବିଷଦ ବିବରଣୀ ପ୍ରଦାନ କରିଥିଲେ।
