ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି । ଢେଙ୍କାନାଳର କାମାକ୍ଷାନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦଳରୁ ଶୁକ୍ରବାର ଦିନ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ପ୍ରତାପ ଜେନା ।
ପ୍ରତାପ କହିଛନ୍ତି, ପ୍ରଫୁଲ୍ଲଙ୍କ ସାମ୍ପ୍ରତିକ ବକ୍ତବ୍ୟ ଏବଂ କାର୍ଯ୍ୟ ଦଳର ଏକତା ଏବଂ ଶୃଙ୍ଖଳା ପାଇଁ କ୍ଷତିକାରକ । ଏହା ଦଳ ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ଅଭିଯୋଗ କରିଛନ୍ତି ପ୍ରତାପ ।“ମୁଁ ଇସ୍ତଫା ଦେବା ନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଜଣାଇଥିଲି,” ବୋଲି ଦାବି କରିଛନ୍ତି ପ୍ରଫୁଲ୍ଲ । ସେ ଆହୁରି ବି କହିଛନ୍ତି, ବିଜେଡିର କୌଣସି ସାଂଗଠନିକ କାର୍ଯ୍ୟରେ ମୁଁ ଯୋଗ ଦେଉନଥିଲି । ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବି । ଏବେ କେଉଁ ଦଳକୁ ଯିବା ପାଇଁ ମନ ସ୍ଥିର କରିନାହିଁ ବୋଲି କହିଛନ୍ତି ପ୍ରଫୁଲ୍ଲ ।
