ନୂଆପଡ଼ା: ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଭେଟରାନ କଂଗ୍ରେସ ନେତା ଘାସିରାମ ମାଝୀ । ଏନେଇ ପରୋକ୍ଷରେ ସଂକେତ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତ ନିର୍ବାଚନରେ ସ୍ୱାଧୀନ ଭାବେ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ । ଘାସିରାମ ବାବୁ ଏବେ କଂଗ୍ରେସର ଜିଲ୍ଲା ସଂଯୋଜକ ଅଛନ୍ତି । ଆମର ପ୍ରାର୍ଥୀ ଚୟନ ଦଳର ହାଇକମାଣ୍ଡ କରିବେ । ଯେଉଁମାନେ ଭୟଭୀତ ସେମାନେ ଏବେଠୁ ମାର୍କେଟିଂ ଆରମ୍ଭ କରିଦେଲେଣି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ଗତ ୮ ତାରିଖ ଦିନ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ପିସିସି ସଭାପତିଙ୍କ ନଜର ଘାସିରାମ ମାଝୀଙ୍କ ଉପରେ ଥିବା ନେଇ ଜଣାପଡୁଛି । ଭକ୍ତ କହିଛନ୍ତି, ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ୍ ଦିଆଯାଇନଥିଲା। ହେଲେ ଏବେ କିନ୍ତୁ ସର୍ବକ୍ଷମା ପରେ ସେ ଜିଲ୍ଲା ସଂଯୋଜକ ଅଛନ୍ତି। ଗତ ନିର୍ବାଚନରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିବାବେଳେ, କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ୍ ପାଇଥିଲେ । ତେଣୁ କଂଗ୍ରେସର ଭୋଟ୍ ବ୍ୟାଙ୍କ ଦେଖି ଅନ୍ୟ ଦଳ ଭୟଭୀତ ଅଛନ୍ତି । ତେଣୁ କଂଗ୍ରେସ ପ୍ରାର୍ଥୀଙ୍କୁ ଯେତେ ଅଫର୍ ଆସିଲେ ବି ସେ ବିକ୍ରି ହେବେନି ବୋଲି କହିଛନ୍ତି ଭକ୍ତ ଦାସ ।
