ଭୁବନେଶ୍ଵର: ଆସନ୍ତା କାଲିଠୁ ପୁଣି ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ, ଉତ୍ତର ଓ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଗଞ୍ଜାମ, ଗଜପତି ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବି ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବାରୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ପ୍ରତି ଘଣ୍ଟାରେ ଝଟକା ପବନ ଅନୁଭୂତ ହେବ । ପାଖାପାଖି ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ଅନୁଭୂତ ହୋଇପାରେ ।
ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଟିଏ ଲଘୁଚାପ ଓ ଦ୍ଵିତୀୟ ସପ୍ତାହରେ ଆଉ ଗୋଟିଏ ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହୋଇଛି। ଆକଳନ ଅନୁସାରେ ସେପ୍ଟେମ୍ବର ୩ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ୫ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ଅଛି। ଏହାପରେ ଦ୍ଵିତୀୟ ସପ୍ତାହ ବେଳକୁ ପୁଣି ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ଅଛି।
