ଶିମଲା: ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ । ରାସ୍ତାରେ ଯାଉଥିବା ବସ ଉପରେ ଖସିଲା ମାଟି ଅତଡ଼ା । ଭୂସ୍ଖଳନରେ ୧୮ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ବାଲୁ ବ୍ରିଜ ନିକଟରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ଭୂସ୍ଖଳନ ହୋଇଥିଲା । ମରୋତ୍ତମରୁ ଘୁମାରିୱିନ ଯାଉଥିବା ବେସରକାରୀ ବସଟି ଭୂସ୍ଖଳନର ଶିକାର ହୋଇଛି ।
ସୂଚନା ଅନୁସାରେ, ବସ୍ରେ ପାଖାପାଖି ୩୫ ଜଣ ଯାତ୍ରୀ ଥିଲେ। ବସଟି ଭଲ୍ଲୁ ବ୍ରିଜ ନିକଟରେ ଅତିକ୍ରମ କରୁଥିଲା । ଏହି ସମୟରେ ହଠାତ୍ ଭୂସ୍ଖଳନ ଘଟିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଏବଂ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଧସି ବସ୍ ଉପରେ ପଡ଼ିଲା । ଏହା ଦେଖି ଯାତ୍ରୀମାନେ ଚିତ୍କାର କରିଉଠିଥିଲେ । ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପୋଲିସ ଓ ଉଦ୍ଧାରକାରୀ ଦଳ ଏକ ଜେସିବି ଜରିଆରେ ବସ୍ ଉପରୁ ମାଟି ଅତଡ଼ା ବାହାର କରିଥିଲେ। ଏହା ପରେ ଆହତଙ୍କୁ ବସରୁ ବାହାର କରି ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଦୁର୍ଘଟଣା ପରେ ୬ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାକି ୧୨ ଯାତ୍ରୀ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
