ନୂଆଦିଲ୍ଲୀ: ନବମ ଏସିଆ କପ ଟାଇଟଲ ଜିତିଲା ଭାରତ । ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି ! ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲକୁ ୫ ୱିକେଟରେ ଜିତିଲା ଭାରତ । ପାକିସ୍ତାନ ୧୪୭ ରନ କରିଥିବା ବେଳେ ଭାରତ ଶେଷ ଓଭରରେ ବିଜୟୀ ହୋଇଛି । ତିଲକ ବର୍ମା ଲଢୁଆ ଅର୍ଦ୍ଧଶତକ ସହ ୫୩ ବଲରୁ ସ୍କୋର କଲେ ୬୯* ରନ । ସଞ୍ଜୁ ସାମସନ ୨୪ ଓ ଶିବମ ଦୁବେଙ୍କ ୩୩ ରନର ଅବଦାନ । ଶେଷ ଓଭରରେ ଚୌକା ମାରି ମ୍ୟାଚ ଫିନିଶ କଲେ ରିଙ୍କୁ ସିଂ । ପୂର୍ବରୁ ଭାରତ ଦିନିକିଆରେ ୭ ଓ ଟି୨୦ ଫର୍ମାଟରେ ଥରେ ଟାଇଟଲ ଜିତିଛି ।
ଏସିଆ କପ ଫାଇନାଲରେ ଭାରତ ସମ୍ମୁଖରେ ୧୪୭ ରନର ଟାର୍ଗେଟ୍ ରଖିଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୬ ରନରେ ଅଲଆଉଟ ହୋଇଥିଲା । ଶାହିବଜାଦା ଫରଜାନ ୫୭, ଫଖର ଜମାନଙ୍କ ୪୬ ରନର କରିଥିଲେ ମଧ୍ୟ ଦୁଇ ଅଙ୍କ ଛୁଇଁ ପାରିନଥିଲେ ୮ ପାକିସ୍ତାନୀ ବ୍ୟାଟର । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ ୱିକେଟ ନେଇଥିଲେ । ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରାଙ୍କୁ ୨ଟି ଲେଖାଏ ୱିକେଟ ନେଇଥିଲେ । ପ୍ରଥମ ୱିକେଟରେ ୮୪ ରନ ଯୋଡିଥିଲେ ଦୁଇ ପାକିସ୍ତାନୀ ଓପନର । ମାତ୍ର ୬୨ ରନରେ ଅନ୍ତିମ ୧୦ ୱିକେଟ ହରାଇଥିଲା ପାକିସ୍ତାନ । ଜବାବରେ ଭାରତ ୧୯. ୪ ଓଭରରେ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ତିଳକ ବର୍ମା ଅପରାଜିତ ୬୯ ରନ ଖେଳି ଭାରତକୁ ଜିତାଇଛନ୍ତି। ଦୁବେ ୩୩ ରନ ଦମଦାର ଇନିଂସ ଖେଳିଛନ୍ତି। ଆଉ ୧୪ ଦିନରେ ପାକିସ୍ତାନକୁ ତୃତୀୟ ଥର ହରାଇଛି ଭାରତ। ଏହା ପୂର୍ବରୁ ଭାରତ ୨୦୨୩, ୨୦୧୮, ୨୦୧୬, ୨୦୧୦, ୧୯୯୫, ୧୯୯୦, ୧୯୮୮, ୧୯୮୪ରେ ଏସିଆ କପ୍ ଜିତିଥିଲା।
ସେପଟେ ଭାରତର ବିଜୟ ପରେ BCCI ପୁରସ୍କାର ଘୋଷଣା କରିଛି । ଟିମ୍ ଇଣ୍ଡିଆକୁ ୨୧ କୋଟି ଟଙ୍କା ପୁରସ୍କାର ଦେଇଛି BCCI । ମାତ୍ର ମହାନତା ଦେଖାଇଛନ୍ତି ଭାରତୀୟ ଦଳ । ଦଳର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ମହାନତା ଦେଖାଇ ଏସିଆ କପ୍ର ମ୍ୟାଚ୍ ଫି’ ଭାରତୀୟ ସେନାକୁ ସମର୍ପିତ କରିଛନ୍ତି । ପହଲଗାମ୍ ଆତଙ୍କବାଦୀ ହମ୍ଲାରେ ନିହତଙ୍କ ପରିବାରକୁ ଦାନ କରିଛନ୍ତି ଦଳର କ୍ୟାପଟେନ୍ । ଏଥିସହ ଏସିଆ କପ୍ ୨୦୨୫ ଟ୍ରଫି ଗ୍ରହଣ କରିନି ଭାରତୀୟ କ୍ରିକେଟ୍ ଟିମ୍ । ପୁରସ୍କାର ବିତରଣ ଉତ୍ସବରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଟିମ୍ ଇଣ୍ଡିଆ ଅସ୍ୱୀକାର କରିଛି । ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ହେଉଛନ୍ତି ମୋହସିନ ନକଭି । ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସଭାପତି ମଧ୍ୟ ଅଛନ୍ତି । ଏଥିସହ ଏବେ ପାକିସ୍ତାନର ଗୃହମନ୍ତ୍ରୀ ହେଉଛନ୍ତି ମୋହସିନ ନକଭି । ଅପରେସନ ସିନ୍ଦୂର ସମୟରେ ଭାରତକୁ ପରମାଣୁ ଧମକ ଦେଇଥିଲେ ନକଭି । ବିଭିନ୍ନ ସମୟରେ ଭାରତ ବିରୋଧୀ ବୟାନ ଦେଇଥାନ୍ତି ମୋହସିନ ନକଭି ।
ତେବେ ଏସିଆ କପ ଟାଇଟଲ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କ୍ରିକେଟ ପଡିଆରେ ଅପରେସନ ସିନ୍ଦୂର ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଯୁଦ୍ଧର ମଇଦାନ ହେଉ କି କ୍ରିକେଟ ପଡିଆ, ଫଳାଫଳ ସର୍ବଦା ଭାରତ ସପକ୍ଷରେ । ଅପରେସନ ସିନ୍ଦୂର ସହ କ୍ରିକେଟ ବିଜୟକୁ ତୁଳନା କଲେ ମୋଦି । ସଂଘର୍ଷପୂର୍ଣ୍ଣ ଫାଇନାଲକୁ ୫ ୱିକେଟରେ ଜିତିଛି ଭାରତ । ପାକିସ୍ତାନ ୧୪୭ ରନ କରିଥିବା ବେଳେ ଭାରତ ଶେଷ ଓଭରେ ବିଜୟ ହାସଲ କରିଛି ।
