ଭୁବନେଶ୍ଵର: ଅପେକ୍ଷାର ଅନ୍ତ ଘଟିଛି । ଧରାବତରଣ କରିଛନ୍ତି ଦଶଭୁଜା ମା’ ଦୁର୍ଗା । ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଆଜି ଶକ୍ତିପୀଠରେ ସପ୍ତମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ଷଷ୍ଠୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିବେ । ନବରାତ୍ରୀର ଆଜି ସପ୍ତମ ଦିନ। ଆଜି ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ମା’ କାଳରାତ୍ରୀ ନବଦୁର୍ଗାଙ୍କ ସପ୍ତମ ସ୍ୱରୂପ। ମା’ଙ୍କ ଏହି ରୂପ ବହୁତ ଭୟଙ୍କର ହୋଇଥାଏ।
ମା’ ଏହି ବେଶରେ କଳା ରଙ୍ଗର ରୂପ ଧାରଣ କରିବା ସହିତ ତିନି ନେତ୍ର ଧାରଣ କରିଥାନ୍ତି। ମା’ କାଳରାତ୍ରୀଙ୍କ ଗଳାରେ ବୁଦ୍ୟତ୍ର ଅଦ୍ଭୁତ ମାଳା ରହିଥାଏ। ତାଙ୍କ ହାତରେ ଖଡଗ ଏବଂ ଖଣ୍ଡା ସହିତ ବାହନ ଗଧ ରହିଥାଏ। ମା’ ଭକ୍ତଙ୍କୁ ସବୁବେଳେ କଲ୍ୟାଣ କରିଥାନ୍ତି। ଏଥିପାଇଁ ମା’କୁ ଶୁଭଙ୍କରୀ ମଧ୍ୟ କୁହାଯାଏ। ଏହି ନବରାତ୍ର ପୂଜାରେ ମହାସପ୍ତମୀ ଦିନ ଅସୁରଙ୍କ ସଂହାର କରିବା ପାଇଁ ମା’ ଉଗ୍ର ରୂପ ଧାରଣ କରିଥିଲେ । ମାନ୍ୟତା ରହିଛି ସପ୍ତମୀ ତିଥିରେ ମା’ଙ୍କୁ ବିଧିବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି । ଏଥିପାଇଁ ମା’ ଶୁଭଙ୍କରୀ ନାମରେ ମଧ୍ୟ ଜଗତରେ ପରିଚିତ । ବିଶେଷ କରି ମା’ ଙ୍କ ଏହିପୂଜା ରାତ୍ରି କାଳରେ ସମ୍ପର୍ଣ୍ଣ ହୋଇ ଥାଏ। ଦେବୀ ଭାଗବତ ପୁରାଣ ଆଧାରରେ, ମା କାଳରାତ୍ରୀ ଅଭୟ ବରଦାୟିନୀ । ମା’ କାଳରାତ୍ରୀ କାଳୀ, ମହାକାଳୀ, ଭଦ୍ରକାଳୀ, ଭୈରବୀ, ରୁଦ୍ରାଣୀ , ଚଣ୍ଡି, ରୌଦ୍ରୀ ଓ ଧୁମୋରଣା, ଚାମୁଣ୍ଡା ଆଦି ନାମରେ ବିଦିତ ।
ଦେବୀ କାଳରାତ୍ରୀଙ୍କ ଶରୀର ଅନ୍ଧାର ପରି କଳା ବର୍ଣ୍ଣ , ମୁକ୍ତକେଶୀ, ବେକରେ ବିଜୁଳି ପରି ଯାଜୁଲ୍ୟମାନ କରୁଥିବା ମାଳ । ମୁଖରେ କ୍ରୋଧର ଭାବ । ମା’ ଗଧ ଉପରେ ବିରାଜିତ । ମା’ଙ୍କ ଡାହାଣ ହସ୍ତ ସର୍ବଦା ଉପରକୁ ଉଠିଥାଏ ଯାହାର ଅର୍ଥ ସମସ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି। ଡାହାଣ ପାଶ୍ବର ନିମ୍ନ ହସ୍ତ ଅଭୟ ମୁଦ୍ରାରେ ରହିଥାଏ ଓ ବାମ ପାଶ୍ବର ଦୁଇ ହସ୍ତରେ ଅସ୍ତ୍ର ଧରିଥାନ୍ତି । ମା’ ତ୍ରି ନୟନା। ପୌରାଣିକ କଥାବସ୍ତୁ ଆଧାରରେ , ଶୁମ୍ଭ-ନିଶୁମ୍ଭ ଓ ରକ୍ତବୀଜର ସଂହାର ପାଇଁ ମା ପାର୍ବତୀ ଦୁର୍ଗାଙ୍କ ରୂପ ଧାରଣା କରିଥିଲେ । ଦୁର୍ଗାଙ୍କ ରୂପରେ ଶୁମ୍ଭ-ନିଶୁମ୍ଭ ଦୁଇ ରାକ୍ଷାସଙ୍କୁ ବଧ କରିଥିଲେ । କିନ୍ତୁ ରକ୍ତବୀଜକୁ ବଧ କଲାବେଳେ ତା’ ଶରୀରରୁ ପଡୁଥିବା ରକ୍ତ ଧରାପୃଷ୍ଠରେ ପଡି ଲକ୍ଷ ଲକ୍ଷ ରକ୍ତବୀଜ ଜନ୍ମନେଲେ । ସେତେବେଳେ ମା’ ଦୁର୍ଗା କାଳରାତ୍ରୀ ସ୍ବରୂପରେ ଆର୍ବିଭାବ ହୋଇ ରକ୍ତବୀଜ କୁ ବଧ କରି ତା’ ର ରକ୍ତପାନ କରିଥିଲେ। ଏବଂ ଏ ସୃଷ୍ଟିକୁ ରକ୍ଷା କରିଥିଲେ ।
