ନୂଆଦିଲ୍ଲୀ: ଆମ ଦେଶ ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିରଗୁଡ଼ିକର ଅଭାବ ନାହିଁ । ରାଜସ୍ଥାନରେ ମଧ୍ୟ ସମାନ ମନ୍ଦିର ଅଛି, ଯେଉଁଠାରେ ଲୋକମାନେ ସନ୍ଧ୍ୟା ହେବା ମାତ୍ରେ ପଳାୟନ କରନ୍ତି । ଭୁଲରେ ମଧ୍ୟ ରାତିରେ ଏହି ମନ୍ଦିରରେ ରହିବାକୁ କେହି ଚାହାଁନ୍ତି ନାହିଁ । ଏହା ପଛରେ ଦିଆଯାଇଥିବା କାରଣଟି ଅତ୍ୟନ୍ତ ଆପଣ ମଧ୍ୟ ଜାଣିଲେ ଚମକି ପଡ଼ିବେ । ଲୋକମାନେ ବିଶ୍ୱାସ କରନ୍ତି ଯେ ଯିଏ ରାତିରେ ଏହି ମନ୍ଦିରରେ ରହେ ସେ ପଥରରେ ପରିଣତ ହୋଇଯାଏ ।
ଖ୍ରୀଷ୍ଟପୂର୍ବ ୧୧୬୧ ମସିହାରେ ଏହି ସ୍ଥାନର ନାମ ‘କିରାଟ କୁପ’ ଥିଲା । ରାଜସ୍ଥାନରେ ଥାଇ ମଧ୍ୟ ଏହି ମନ୍ଦିର ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ହୋଇଥିଲା । ଲୋକମାନେ ଏହି ମନ୍ଦିରକୁ ରାଜସ୍ଥାନର ଖଜୁରାହୋ ବୋଲି ମଧ୍ୟ କହିଥାନ୍ତି । ଏହା ପାଞ୍ଚଟି ମନ୍ଦିରର ଏକ ସମାହାର । ଏଠାରେ ଥିବା ଅଧିକାଂଶ ମନ୍ଦିର ବର୍ତ୍ତମାନ ଧ୍ୱଂସାବଶେଷରେ ଅଛି । ତେବେ ଏହି ମନ୍ଦିର କିଏ ନିର୍ମାଣ କଲା? ଏ ବିଷୟରେ ଅଧିକ ସୂଚନା ଉପଲବ୍ଧ ନାହିଁ । ତଥାପି, ମନ୍ଦିର ନିର୍ମାଣ ସମ୍ବନ୍ଧରେ ଲୋକମାନଙ୍କର ନିଜ ନିଜର ମାନ୍ୟତା ରଖିଛନ୍ତି ।
କୁହାଯାଏ ଯେ, ଏହି ମନ୍ଦିରରେ ଏକଦା ଏପରି ଘଟଣା ଘଟିଥିଲା ଯେ ଯାହାର ଭୟ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ରହିଛି । କୁହାଯାଏ ଯେ ବହୁ ବର୍ଷ ପୂର୍ବେ ଜଣେ ସାଧୁ ନିଜ ଶିଷ୍ୟମାନଙ୍କ ସହିତ ଏହି ମନ୍ଦିରରେ ପହଞ୍ଚିଥିଲେ । ଦିନେ ସେ ଶିଷ୍ୟମାନଙ୍କୁ ମନ୍ଦିରରେ ଛାଡି ନିଜେ ବୁଲିବାକୁ ଗଲେ । ଏହି ସମୟରେ ହଠାତ୍ ଜଣେ ଶିଷ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ସାଧୁଙ୍କର ଅନ୍ୟ ଶିଷ୍ୟମାନେ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡିଥିଲେ, କିନ୍ତୁ ସେମାନଙ୍କୁ କେହି ସାହାଯ୍ୟ କରିନଥିଲେ । ଯେତେବେଳେ ସାଧୁ ଏହା ଜାଣିଥିଲେ ସେ କ୍ରୋଧିତ ହୋଇ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ ଯେ ସନ୍ଧ୍ୟା ପରେ ସମସ୍ତେ ପଥରରେ ପରିଣତ ହେବେ ।
ଲୋକକଥା ଅନୁଯାୟୀ, ଜଣେ ମହିଳା ଶିଷ୍ୟମାନଙ୍କୁ ସାହାଯ୍ୟ କରିଥିଲେ । ସାଧୁ ଏଥିରେ ସନ୍ତୁଷ୍ଟ ହୋଇ ମହିଳାଙ୍କୁ କହିଥିଲେ ଯେ ସେ ସନ୍ଧ୍ୟା ପୂର୍ବରୁ ଗାଁ ଛାଡି ଚାଲି ଯାଆନ୍ତୁ ଓ ପଛକୁ ଅନାଇବାକୁ ମଧ୍ୟ ବାରଣ କରିଥିଲେ । ଯେତେବେଳେ ମହିଳା ଜଣକ ଯାଉଥିଲେ, ସେ କୌତୁହଳ ପୂର୍ବକ ପଛକୁ ଚାହିଁ ଦେଇଥିଲେ । ଯେଉଁଥିପାଇଁ ସେ ମଧ୍ୟ ପଥରରେ ପରିଣତ ହୋଇଥିଲେ । ସେହି ମହିଳାଙ୍କ ମୂର୍ତ୍ତି ଏବେ ମଧ୍ୟ ମନ୍ଦିର ନିକଟରେ ସ୍ଥାପିତ ହୋଇଛି । ଏହି ଅଭିଶାପ ଯୋଗୁଁ ନିକଟସ୍ଥ ଗାଁର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଯେଉଁଥିପାଇଁ ଆଜି ବି ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ଅଛି ଯେ ଯିଏ ସନ୍ଧ୍ୟାରେ ଏହି ମନ୍ଦିରରେ ପାଦ ରଖେ କିମ୍ବା ରହେ ସେ ମଧ୍ୟ ପଥରରେ ପରିଣତ ହେବ । ଏହି କାରଣରୁ ସନ୍ଧ୍ୟା ପରେ କେହି ଏହି ମନ୍ଦିରରେ ରହିବାକୁ ସାହସ କରନ୍ତି ନାହିଁ ।
