ଭୂବନେଶ୍ଵର: ଆଜି କୁଆଁରୀ ଝିଅଙ୍କ ପର୍ବ କୁଆଁର ପୁନେଇଁ । ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍ ଉତ୍ସାହ ଭରି ରହିଛି । ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି କୁମାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିବେ । ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ଆରମ୍ଭ ହେବ ପୂଜାର୍ଚ୍ଚନା । ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଭଳି ଫଳ ଭୋଗ ଲାଗିବ । ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ କରିବେ ଚାନ୍ଦ ପୂଜା । ଜହ୍ନ ଉଇଁଲେ ଆରମ୍ଭ ହୋଇଯାଏ ଏହି ପୂଜା । କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ ।
କୁମାର ପୂର୍ଣ୍ଣିମା ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସହ ପୂଜା କରାଯାଇଥାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ । କିନ୍ତୁ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ତିଆରି ହୋଇଥାଏ । ଓଡ଼ିଶା ବ୍ୟତୀତ ଏହି ପର୍ବ ଭାରତର ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ ଓ ମିଥିଳାରେ ମଧ୍ୟ ପାଳନ କରାଯାଏ । ତେବେ ଏହି ସ୍ଥାନଗୁଡ଼ିକରେ କୁମାର ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ନାମରେ ଜଣାଶୁଣା । ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀ ଘର ଘର ବୁଲିଥା’ନ୍ତି ଏବଂ ଯେଉଁମାନେ ରାତିସାରା ଜାଗ୍ରତ ରହନ୍ତି କେବଳ ସେମାନଙ୍କ ଉପରେ ହିଁ କୃପା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନ ରାତିରେ ଲୋକମାନେ ଗୀତ ଗାଇ କିମ୍ବା ବିଭିନ୍ନ ପ୍ରକାରର ଖେଳ ଖେଳି ରାତିସାରା ନିଜକୁ ଉଜାଗର ରଖିଥାନ୍ତି ।
ଆହୁରି ମଧ୍ୟ ଏହି ଦିନ ଲୋକେ କଠିନ ଖାଦ୍ୟ ନ ଖାଇ କେବଳ ତରଳ ଖାଦ୍ୟ, ଯଥା ନଡ଼ିଆ ପାଣି, କ୍ଷୀର ଇତ୍ୟାଦି ଖାଇଥାନ୍ତି । କ୍ଷୀରକୁ ବହଳିଆ ହେଲା ପର୍ଯ୍ୟନ୍ତ ଫୁଟାଯାଇଥାଏ । ଏହା ପରେ ଏଥିରେ କାଜୁ, ପେସ୍ତା ବାଦାମ ଇତ୍ୟାଦି ପକାଇ ପାନୀୟ ରୂପେ ଗ୍ରହଣ କରାଯାଇଥାଏ । କେତେକ ଲୋକ ଏହି ଦିନ ରାତିରେ ଥଣ୍ଡା କ୍ଷୀର ଓ ଚୁଡ଼ା ମଧ୍ୟ ଖାଇଥାନ୍ତି । ମରାଠୀମାନଙ୍କ ପାଇଁ ଏହା ଏକ ବିଶେଷ ପର୍ବ । ଏହି ପର୍ବରେ ଘରର ଜ୍ୟେଷ୍ଠ ସନ୍ତାନକୁ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ ।
