ଭୁବନେଶ୍ଵର: ୨୦ ଲକ୍ଷ ପାଇଁ ପୋଲିସ କନଷ୍ଟେବଲ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି । ବିଧାନସଭାରେ ମୁଲତବି ଆଲୋଚନାରେ ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ ଲକ୍ଷ ଦାବି କରିଥିଲେ ଶୁଭମିତ୍ରା । ଶୁଭମିତ୍ରା ରୀତି ଅନୁସାରେ ବିବାହ ପାଇଁ ୨୦ ଲକ୍ଷ ଦାବି କରିଥିଲେ ବୋଲି କହିଛନ୍ତି ମନ୍ତ୍ରୀ ।
ଏତଦବ୍ୟତୀତ ଆହୁରି ଏକ ସାଂଘାତିକ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା । ବୀମା ଅର୍ଥ ପାଇବାକୁ ହତ୍ୟା କରିଥିଲା ଦୀପକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁ ହେଲା ବୋଲି ସେତେବେଳେ କୁହାଗଲା । ଯେଉଁ ଟ୍ରକ୍ ଦୁର୍ଘଟଣା କରିଥିଲା କୁହାଗଲା, ସେଦିନ ସେହି ଟ୍ରକ୍ ରାଉରକେଲାରେ ଥିଲା । ସେତେବେଳେ କାହା ସରକାର ଥିଲା, ସତ ଲୁଚାଇବାକୁ କିଏ ଚେଷ୍ଟା କରିଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୨୨ ମସିହାରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କ ହତ୍ୟାକୁ କରିଥିଲା ଦୀପକ ରାଉତ । ସେତେବେଳେ ତଦନ୍ତ ସମୟରେ ବିଜେଡ଼ି ସରକାର ଥିଲା । ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡିଥିଲା । ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର ବୋଲି କହି ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଥିଲେ ପୃଥ୍ୱୀରାଜ ।
ସୂଚନାଯୋଗ୍ୟ, ମାଟ୍ରିମୋନିଆଲ୍ ସାଇଟ୍ରୁ ଅପର୍ଣ୍ଣା ଓ ଦୀପକଙ୍କ ବିବାହ ୨୦୧୮ ମସିହା ଏପ୍ରିଲ୍ ୨୫ ତାରିଖରେ ହୋଇଥିଲା । ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ପ୍ରାୟ ୮ଟାରେ ଖୁଣ୍ଟୁଣୀ ନିକଟରେ ଅପର୍ଣ୍ଣା ଦୁର୍ଘଟଣାର ଶିକାର ହୋଇଥିବା ନେଇ ଦୀପକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଘର ଲୋକେ ଢେଙ୍କାନାଳରୁ ବାହାରିବା ସମୟରେ ପ୍ରଥମେ ସେ କଟକ ବଡ଼ଡାକ୍ତରଖାନାକୁ ଓ ପରେ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ନେଉଥିବା କହିଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚବା ବେଳକୁ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇସାରିଥିଲା। ଦୀପକର କହିବାନୁସାରେ, କାର୍ର ଚକା ଲିକ୍ ହୋଇଯାଇଥିଲା। ସେ ଚକା ବଦଳାଉଥିବା ସମୟରେ ଅପର୍ଣ୍ଣା ମୋବାଇଲ୍ ଟର୍ଚ୍ଚ ଦେଖାଉଥିଲେ। ସେହି ସମୟରେ ଓଡି-୦୨-ଏସ୍-୩୪୮୬ ନମ୍ବର ଟ୍ରକ୍ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଆଉ ଦୀପକ ଚାଲାକି କରି ଅପର୍ଣ୍ଣାଙ୍କ ନାମରେ ଥିବା ବୀମା ଟଙ୍କା ହାତେଇ ନେଇଥିଲା ।
