ଭୁବନେଶ୍ବର: ଭୁବନେଶ୍ବରରେ ଉଦଘାଟିତ ହୋଇଛି ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ । ସମ୍ମିଳନୀର ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି । ଏଥିରେ ସାରା ଦେଶରୁ ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଅଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଯୋଗ ଦେଇଛନ୍ତି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ଯୋଗ ଦେଇଛନ୍ତି । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା । ଯାହା ସମ୍ପର୍କରେ ଆଲୋଚନା ହେବ ।
ସମ୍ମିଳନୀକୁ ଏଦଘାଟନ କରିବା କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ଲୋକସଭା ବାଚସ୍ପତି ଉମ୍ ବିର୍ଲା । ଶ୍ରୀ ବିର୍ଲା କହିଛନ୍ତି, ଦେଶରେ ସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେବ । ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା ଦରକାର । ସେଥିପାଇଁ ସମସ୍ତଙ୍କୁ ନ୍ୟାୟ, ସମସ୍ତଙ୍କୁ ସେମାନଙ୍କ ଅଧିକାର ଦେବାକୁ ହେବ । ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଯିଏକି ଏହି ମାଟିରୁ ଆସିଛନ୍ତି । ଦେଶର ଲୋକତନ୍ତ୍ର, ଗଣତନ୍ତ୍ରର ଶକ୍ତି ପୂରା ବିଶ୍ୱକୁ ଅବଗତ କରାଉଛନ୍ତି । ଶ୍ରୀ ବିର୍ଲା ଆହୁରି କହିଛନ୍ତି, SC/ST ବଜେଟ୍ ଆବଣ୍ଟନର ସମୀକ୍ଷା ହେବା ଜରୁରୀ । ରୋଜଗାର ଆର୍ଥିକ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ହେବା ନିହାତି ଜରୁରୀ । କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ତାହା ଚିନ୍ତା କରିବା ସହ ଆବଶ୍ୟକତା ଅନୁସାରେ ସେମାନଙ୍କୁ ଅଧିକାର ଦେବାକୁ ହେବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
ସେହିପରି କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ନିହାତି ଜରୁରୀ । ଓଡ଼ିଶା ଜନସଂଖ୍ୟାର ୪୦% ହେଉଛନ୍ତି ଆଦିବାସୀ ଓ ଦଳିତ । ୨୩% ଆଦିବାସୀ ଓ ୧୭ ପ୍ରତିଶତ ହେଉଛନ୍ତି ଦଳିତ । ନିକଟରେ ନିଟ୍ ପାସ କରିଥିବା ଦିଦାୟୀ ଆଦିବାସୀ ଝିଅଙ୍କୁ ଭେଟିଥିଲି । ଆମର ବର୍ତ୍ତମାନ ଭଲ ଅଛି, ଭବିଷ୍ୟତ ଆହୁରି ଭଲ ରହିବ । ପଲ୍ଲୀଠୁ ନେଇ ଦିଲ୍ଲୀ ଯାଏଁ ସାମ୍ବିଧାନିକ ବ୍ୟବସ୍ଥା ଚାଲିଛି । ହଜାର ହଜାର ବର୍ଷ ଧରି ଆମେ ଉତ୍ପୀଡ଼ନ ସହିଥିଲୁ୍ । ଅସ୍ପୃଶ୍ୟତାର ଶିକାର ହୋଇଥିଲୁ । କିନ୍ତୁ ସମ୍ବିଧାନ ଆମକୁ ଅଧିକାର ଦେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି, ଆମେ ସଶକ୍ତୀକରଣ ନହେଲେ ଯେତେ ଯୋଜନା କଲେ ବି ସୁଫଳ ମିଳିବନି । ଆମର ଉତ୍ଥାନ ନ ହେବା ଯାଏଁ ରାଜ୍ୟର ବିକାଶ ହୋଇପାରିବ ନାହିଁ । ଆମ ସରକାର SC/ST ବିଭାଗ ବଜେଟ୍ ୬୮,୮୮୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ୧୪ ଜିଲ୍ଲାର ୩ ଲକ୍ଷ PVTG ବର୍ଗଙ୍କୁ ପିଏମ୍ ଜନମନରେ ସାମିଲ କରାଯାଇଛି । ତେବେ ଆଦିବାସୀଙ୍କ ପାଇଁ ଫରେଷ୍ଟ ପ୍ରୋସେସିଂ ୟୁନିଟ୍ କରାଯିବ । ୧୫ଟି ଏକଲବ୍ୟ ମଡେଲ ବିଦ୍ୟାଳୟ ହୋଇଛି । ୫ ଲକ୍ଷ ବିଦ୍ୟାର୍ଥୀ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି । ସମସ୍ତ ଜନଜାତି ଭାଷାରେ ଶିକ୍ଷାଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
