ଭୁବନେଶ୍ଵର: ଆଜି ମା’ ଦୁର୍ଗାଙ୍କ ଷଷ୍ଠୀ । ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଷଷ୍ଠ ଦିନରେ ମା’ କାତ୍ୟାୟନୀ ରୂପରେ ପୂଜା ପାଇବେ । ନବରାତ୍ରୀର ଷଷ୍ଠ ଦିନରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମା’ କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କାତ୍ୟାୟନୀଙ୍କର ଚାରୋଟି ହସ୍ତ । ଗୋଟିଏ ହାତରେ ଖଣ୍ଡା ଦ୍ବିତୀୟ ହାତରେ ପଦ୍ମ ଫୁଲ ଶୋଭା ପାଇଥାଏ । ଅନ୍ୟ ହସ୍ତ ଦ୍ବୟ କ୍ରମଶଃ ବରମୁଦ୍ରା ଓ ଅଭୟମୁଦ୍ରାରେ ରହିଥାଏ । ଚାରିଭୁଜା ଧାରୀ ମା’ କାତ୍ୟାୟନୀ ସିଂହ ଉପରେ ବିରାଜମାନ ହୋଇଥାନ୍ତି ।
ପୌରାଣିକ ତଥ୍ୟ ଅନୁଯାୟୀ ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ନେଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ହୋଇଛି। କିନ୍ତୁ କାଳିକା ପୁରାଣରେ ଋଷି କାତ୍ୟାୟନ ପ୍ରଥମେ ତାଙ୍କୁ ଦେବୀ ଭାବରେ ଉପାସନା କରିଥିବାରୁ ତାଙ୍କୁ କାତ୍ୟାୟିନୀ ନାମରେ ପରିଚୟ ମିଳିଥିଲା । ବିଶ୍ବାସ ରହିଛି ନବରାତ୍ରୀରେ ମା’ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଦିନ ପ୍ରସାଦ ସ୍ବରୂପ ମା’ଙ୍କୁ ମହୁ ଭୋଗ ଲାଗି ହୁଏ । କାତ୍ୟାୟନୀ ମା’ ଦୁର୍ଗାଙ୍କର ଷଷ୍ଠ ରୂପ। ଏହି ନାମର ତାତ୍ପର୍ଯ୍ୟ ରହିଛି। ମହର୍ଷି ‘କତ’ଙ୍କର ପୁତ୍ର ଥିଲେ ‘କାତ୍ୟ’। ସେହି ଗୋତ୍ରରେ ଜନ୍ମଗ୍ରହଣ କରିଥିଲେ କାତ୍ୟାୟନ। ସେ କଠୋର ତପସ୍ୟା କରି ମା’ ଭଗବତୀଙ୍କୁ କନ୍ୟା ରୂପେ ଲାଭ କରିଥିଲେ। ସେହି କନ୍ୟା ହେଉଛନ୍ତି କାତ୍ୟାୟନୀ।
ପରବର୍ତ୍ତୀ କାଳରେ ଯେତେବେଳେ ଦୁର୍ଦ୍ଦାନ୍ତ ମହିଷାସୁରର ଉତ୍ପାତରେ ପୃଥିବୀ ଥରହର ହେଲା, ସେତେବେଳେ ଦେବଗଣଙ୍କର ସମ୍ମିଳିତ ତେଜରୁ ଏହି ଦେବୀ, ଦୁର୍ଗା ରୂପେ ଜାତ ହୋଇଥିଲେ। ସେତେବେଳେ ମହର୍ଷି କାତ୍ୟାୟନ ତାଙ୍କୁ ପ୍ରଥମେ ଆରାଧନା କରିଥିଲେ। ତେଣୁ ସେ କାତ୍ୟାୟନୀ ନାମରେ ମଧ୍ୟ ବିଖ୍ୟାତା ହେଲେ। ଏହି ଦେବୀ ଅମୋଘ ଫଳଦାୟିନୀ। ତାଙ୍କର ରୂପ ଅତ୍ୟନ୍ତ ସୁନ୍ଦର ଓ ଦିବ୍ୟ। ଶରୀରର କାନ୍ତି ସ୍ବର୍ଣ୍ଣିମ ଓ ଉଜ୍ଜ୍ବଳ। ସେ ଚତୁର୍ଭୁଜା। ତାଙ୍କର ଦକ୍ଷିଣ ଊର୍ଦ୍ଧ୍ବ ହସ୍ତରେ ଅଭୟ ମୁଦ୍ରା ଏବଂ ନିମ୍ନ ହସ୍ତରେ ବରଦ ମୁଦ୍ରା ଶୋଭିତ। ବାମ ଊର୍ଦ୍ଧ୍ବ ହସ୍ତରେ ତରବାରି ଏବଂ ନିମ୍ନ ହସ୍ତରେ ପଦ୍ମପୁଷ୍ପ ଶୋଭିତ। ଏହି ଦେବୀ ସିଂହବାହନା। ନବରାତ୍ରିର ଷଷ୍ଠ ଦିନରେ ଏହାଙ୍କର ଉପାସନା କାଳରେ ସାଧକଙ୍କର ମନ ଆଜ୍ଞାଚକ୍ରରେ ଅବସ୍ଥାନ କରେ। ଏହାଙ୍କର ଉପାସନା ଫଳରେ ରୋଗ, ଶୋକ, ସନ୍ତାପ ଓ ଭୟ ଆଦି ବିନଷ୍ଟ ହୁଏ।
