ଆସୁଛନ୍ତି ମା’: ପଣତ କାନିରେ ଉଭା ମାଁ ମେଟାକାନି

ଭୁବନେଶ୍ଵର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ମା’ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା । ସେଥିପାଇଁ ମନ୍ତ୍ର ଧ୍ଵନିରେ ପ୍ରକମ୍ପିତ ହେଉଛି…

ଭୁବନେଶ୍ଵର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ମା’ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା । ସେଥିପାଇଁ ମନ୍ତ୍ର ଧ୍ଵନିରେ ପ୍ରକମ୍ପିତ ହେଉଛି ସବୁ ଦେବୀ ପୀଠ । ଓଡ଼ିଶା ପ୍ରଦେଶର ଏକ ଛୋଟ ଜିଲ୍ଲା ହେଲା ସୁବର୍ଣ୍ଣପୁର। ଛୋଟ ଏକ ଜିଲ୍ଲା ଅଟେ କିନ୍ତୁ ଏହାର କଳା, ସାହିତ୍ୟ, ସଂସ୍କୃତି ତଥା ସ୍ଥାପତ୍ୟ ଅନନ୍ୟ । ଏହି ଅଞ୍ଚଳ ତାହାର ମନ୍ଦିର ପାଇଁ ପ୍ରସିଦ୍ଧ। ଜଗନ୍ନାଥଙ୍କ ନବକଳେବର ପାଇଁ ମଧ୍ୟ ଏହି ଅଞ୍ଚଳର ଅବଦାନ ଅନେକ । ସ୍ବୟଂ ଜଗନ୍ନାଥ ମହାପ୍ରଭୁ ନିଜକୁ ଏହି ଅଞ୍ଚଳରେ ୧୪୪ ବର୍ଷ ଲୁଚେଇ ରଖିଥିଲେ । ଏହି ଅଞ୍ଚଳର ଅନେକ ମନ୍ଦିର ମଧ୍ୟରୁ ମାଁ ମେଟାକାନିଙ୍କ ମନ୍ଦିର ଅନ୍ୟତମ ।

ସୁବର୍ଣ୍ଣପୁର ଜିଲ୍ଲାର ସଦରମହକୁମା ସୋନପୁର ରୁ ସମ୍ବଲପୁର ଯିବା ରାସ୍ତାରେ ଉଲୁଣ୍ଡା ଗ୍ରାମରୁ ୮ କିଲୋମିଟର ଅତିକ୍ରମ କଲାପରେ ମାଁ ମେଟାକାନିଙ୍କ ସୁଦୃଶ୍ୟ ମୁଖଶାଳା ଦେଖାଯାଏ । ମୁଖ୍ୟ ରାସ୍ତାରୁ ୧ କିଲୋମିଟର ଜଙ୍ଗଲିଆ ରାସ୍ତାରେ ଭିତରକୁ ଗଲେ ପଡ଼ିବ ମାଁ ଙ୍କ ମୁଖ୍ୟ ମନ୍ଦିର ତଥା ଆସ୍ଥାନ । ଲୋକକଥା ତଥା ବିଶ୍ୱାସ ଅନୁସାରେ ଲୋକ ମାନେ ଏଠାକୁ ନିଜର ହଜି ଯାଇଥିବା ଜିନିଷ ଫେରି ପାଇବା ପାଇଁ ଆସିଥାନ୍ତି । ବୌଧ ଜିଲ୍ଲାର ବାଉଁଶୁଣି ଗ୍ରାମରେ ପ୍ରତାପ ସିନ୍ଧୁ ନାମକ ଜଣେ ବ୍ୟକ୍ତି ପତ୍ନୀ ସୁକାନ୍ତି ଙ୍କ ସହ ରହୁଥିଲେ । ସୁକାନ୍ତି ଙ୍କ ଗର୍ଭରୁ ଏକ ଝିଅ ଜନ୍ମ ହେଲା, ଝିଅର ଅପରୁପ ସୁନ୍ଦରତା କୁ ଦେଖି ନାମ ଦେଲେ ହେମଲତା । ଜନ୍ମ ର ତିନି ମାସ ମଧ୍ୟରେ ମା ସୁକାନ୍ତି ଙ୍କ ମୃତ୍ୟୁ ପରେ ଝିଅଟି ମା ଛେଉଣ୍ଡ ହେଇଗଲା । ଚିନ୍ତାରେ ପ୍ରତାପ ହେମଲତାକୁ ଧରି ଏଠି ସେଠି ଘୁରିବୁଲିବାକୁ ଲାଗିଲେ । ଦିନେ ସୋନପୁର ରାଜା ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ପ୍ରତାପ ନିଜର କନ୍ୟାକୁ ଧରି କ୍ରନ୍ଦନ କରୁଥିବା ଦେଖିବାକୁ ପାଇଲେ । ରାଜା ତାଙ୍କୁ କାନ୍ଦିବାର କାରଣ ପଚାରିବାରୁ ପ୍ରତାପ ସମସ୍ତ କଥା କହିଲେ । ଏହାପରେ ରାଜା ସେଇ ଝିଅକୁ ନେଇ ତାଙ୍କ ଝିଅ କରି ରଖିଲେ ।

ପୂର୍ବର ବାଲ୍ୟ ବିବାହ ପ୍ରଥା ଅନୁସାରେ ଝିଅ ହେମଲତାକୁ ବିବାହ କରାଗଲା । ବାଲ୍ୟବିବାହ ହେଲେ ମଧ୍ୟ ବୟସ ନ ହେବା ଯୋଗୁଁ ହେମଲତା ରାଜାଙ୍କ ସହ ରହିବାକୁ ଲାଗିଲା ‌। ଠିକ୍ ବୟସ ହେଲାପରେ ରାଜା ହେମଲତା କୁ ଶାଶୁ ଘରକୁ ପଠେଇବାର ବନ୍ଦୋବସ୍ତ କଲେ । କିନ୍ତୁ ଝିଅ ବିଦା ସମୟରେ ଦୁଃଖ ସହି ନପାରି ରାଜା ମାଁ ସୁରେଶ୍ଵରୀଙ୍କ ଚରଣକୁ ଗଲେ । ଗୁହାରି କଲେ ଝିଅର ଦେଖାଶୁଣା ପାଇଁ । ଏହାପରେ ବାଘଝଲପା ଜଙ୍ଗଲ ପାଖରେ ହେମଲତା ଦେହରେ ଦେବି ସୁରେଶ୍ଵରୀ ବିରାଜମାନ କଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଜଙ୍ଗଲ ମଧ୍ୟରେ କାହାକୁ ଖୋଜିବେ ଏମିତି ଭାବୁ ଭାବୁ ଇତମେଣ୍ଡା ଗାଁର ମେଟା ନାମ୍ନୀ ଜଣେ ଲୁହାରକୁ ପାଇଲେ ଓ ସବୁ କଥା କହିଲେ। ସେହି ଲୁହାର ମେଟା ଜଣେ ତାନ୍ତ୍ରିକ ତଥା ଗୁଣିଆ ଥିଲା । ସେହି ତାନ୍ତ୍ରିକ ପୂଜା କରିବା ମାତ୍ରେ ଦେବି ମାଁ ସୁରେଶ୍ଵରୀ ପ୍ରଚଣ୍ଡ ରୂପେ ରାଗି ଆବିର୍ଭାବ ହୋଇ ସବୁ ବନ୍ଦ କରିବାକୁ ଆଦେଶ ଦେଲେ । ମାଁ ନିଜର ପରିଚୟ ଦେଇ ହେମଲତା ଦେହରୁ ସବୁ ସୁବର୍ଣ୍ଣ ଅଳଙ୍କାର ଖୋଲି ଏକ ନିର୍ଦ୍ଦିଷ୍ଟ ବୃକ୍ଷ ମୂଳରେ ରଖିବାକୁ ଆଦେଶ ଦେଲେ। ଏଥିସହ ଦେବୀ ନିର୍ଦ୍ଦେଶ କଲେ ମେଟା ମଧ୍ୟ ଦେବୀଙ୍କ ସହ ପୂଜା ପାଇବ ।

ମେଟା ଲୁହାରର ନାମ ସହିତ ଦେବି ହେମଲତାର ପଣତ କାନିରେ ଆସିଥିବା ଯୋଗୁଁ ମେଟାକାନି ରୂପେ ପରିଚିତ ହେଲେ । ଏହା ପରେ ମେଟା ଲୁହୁରା ଓ ହେମଲତା ଅନ୍ତର୍ଦ୍ଧାନ ହେଇଗଲେ । ଏହି ଖବର ରାଜାଙ୍କ ପାଖରେ ପହଞ୍ଚିଲା । ରାଜା ଲୋକ ପଠେଇଲେ ଖୋଜା ଖୋଜି କଲେ କିନ୍ତୁ ସବୁ ବ୍ୟର୍ଥ ଗଲା । ଧିରେ ଧିରେ ଲୋକ ମାନେ ଭୂଲିବାକୁ ଲାଗିଲେ । ତେଣେ ଦେବୀ ବାଘ ରୂପରେ ଜଙ୍ଗଲର ଆଖପାଖ ଲୋକଙ୍କୁ ଡରେଇବାକୁ ଲାଗିଲେ । ସେଥିପାଇଁ ଜଙ୍ଗଲକୁ ଆଜି ମଧ୍ୟ ଲୋକେ ବାଘଝଲପା ଜଙ୍ଗଲ ବୋଲି କୁହନ୍ତି । ବାଘର ଶିକାର ପାଇଁ ସ୍ବୟଂ ରାଜା ଆସିଲେ । ଦେବୀ ସେହି ସ୍ଥାନରେ ଆବିର୍ଭାବ ହୋଇ ନିଜର ପରିଚୟ ଦେଇ ପୂଜା ଅର୍ଚ୍ଚନାର ବ୍ୟବସ୍ଥା କରେଇଥିଲେ। ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତା କଡ଼ରେ ଆଉ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଛି । ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଯାନବାହାନ ଏହି ମନ୍ଦିର ସାମ୍ନାରେ ରହି ପୂଜାର୍ଚ୍ଚନା କରିଥାନ୍ତି ।

Leave a Reply

Your email address will not be published. Required fields are marked *