ମୁମ୍ବାଇ: ହାଇ ଆଲର୍ଟରେ ମୁମ୍ବାଇ । ବୋମା ବିସ୍ଫୋରଣରେ ଦୋହଲି ଯିବ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ୩୪ଟି ମାନବ ବୋମା ବିସ୍ଫୋରଣ ହେବ । ଏପରି କିଛି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି । ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ଏହି ଆକ୍ରମଣ ହେବ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ ।
ମିଳିଥିବା ସୂଚନା ଅନୁସାରେ, ଲସ୍କର-ଏ-ଜିହାଦୀ ସଂଗଠନ ନାଁରେ ଆସିଛି ଧମକ ପୂର୍ଣ୍ଣ ମେସେଜ୍ । ହ୍ୱାଟ୍ସ୍ ଆପ୍ରେ ମୁମ୍ବାଇ ପୋଲିସ ପାଖକୁ ଆସିଛି ଧମକ । ସହରରେ ୩୪ଟି ବୋମା ଲଗାଯାଇଥିବା ନେଇ ମେସେଜରେ କହିଛି ସଂଗଠନ । ୩୪ଟି ଗାଡ଼ିରେ ୩୪ଟି ବୋମା ଖଞ୍ଜା ଯାଇଥିବା ନେଇ ଧମକ ମିଳିଛି । ୧୪ ଆତଙ୍କବାଦୀଙ୍କ ପାଖରେ ୪୦୦ କିଲୋ RDX ଥିବା ନେଇ ମଧ୍ୟ ସୂଚନା ଦେଇଛି । ତେବେ ଏଭଳି ଧମକ ପରେ ହାଇଆଲର୍ଟରେ ଏବେ ମୁମ୍ବାଇ ପୋଲିସ ।
ତେବେ ଅନନ୍ତ ଚତୁର୍ଦ୍ଦଶୀ ବା ଆସନ୍ତକାଲି ଏହି ବୋମା ବିସ୍ଫୋରଣ ହେବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ପ୍ରେରକ ନିଜକୁ “ଲସ୍କର-ଏ-ଜିହାଦି”ର ସଦସ୍ୟ ବୋଲି ପରିଚୟ ଦେବା ସହ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରି ସାରିଛନ୍ତି ବୋଲି କହିଛି । ତାଙ୍କ ପାଖରେ ୪୦୦ କିଲୋଗ୍ରାମ ଆର୍ଡିଏକ୍ସ ଥିବା ବେଳେ ଏହାକୁ ବିସ୍ଫୋରଣ କରାଯିବ । ଫଳରେ “୧ କୋଟି ଲୋକଙ୍କ ମୃତ୍ୟୁ” ହେବାର ସମ୍ଭାବନା ରହିଛି ।
