ଭୁବନେଶ୍ଵର: ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ସଙ୍ଗୀତକାର ଅଭିଜିତ୍ ମଜୁମଦାର । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଭିଜିତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍ ମଜୁମଦାର । ତେବେ ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଅଭିଜିତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଚାରି ଦିନ ସେଠାରେ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକର ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେଠାରେ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନଆସିବାରୁ ପୁନଶ୍ଚ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡିଥିଲେ । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଭିଜିତ୍ ମଜୁମଦାର ଓଲିଉଡର ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ । ଅନେକ ଓଡ଼ିଆ ସିନେମାର ସଫଳ ନିର୍ଦ୍ଦେଶନା ଦେଇ ସେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ବେଶ ପ୍ରଶଂସା ସାଉଁଟିଛନ୍ତି । ଗଣେଷ ପୂଜା ହେଉ କି ଦଶହରା ଏମିତି କୌଣସି ଜାନିଯାତ୍ରା ନାହିଁ ଯେଉଁଠି ଅଭିଜିତଙ୍କ ମେଲୋଡି ପାର୍ଟି ଯାଇନାହିଁ । ମେଲୋଡି ଜଗତର ବାଦଶାହା ଅଭିଜିତ କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି । ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା ।
ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି । କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ସେ ଏମ୍.ବି.ସି. ଟିଭିରେ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ମେଲୋଡି ନାଇଟ୍ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।
