ଭୁବନେଶ୍ଵର: ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ମା’ ଦୂର୍ଗାଙ୍କ ନବମ ଶକ୍ତିର ଉର୍ଜ୍ଜାରୁ ଜନ୍ମ ନେଇଛନ୍ତି ମା’ ସିଦ୍ଧିଦାତ୍ରୀ । ସବୁ ପ୍ରକାରର ସିଦ୍ଧିକୁ ଆଶୀର୍ବାଦ ସ୍ୱରୁପ ଦେଉଥିବା ମା’ ମହାମାୟାଙ୍କୁ ନବରାତ୍ରୀର ମହାନବମୀ ଦିନ ଉପାସନା କରାଯାଏ । ଏହି ଦିନ ଶାସ୍ତ୍ରୀୟ ବିଧି-ବିଧାନ ଏବଂ ପୂର୍ଣ୍ଣ ନିଷ୍ଠାର ସହ ସାଧନା କରିବା ଦ୍ୱାରା ନାନାଦି ପ୍ରକାର ସିଦ୍ଧି ପ୍ରାପ୍ତି ହୁଏ । ମାର୍କଣ୍ଡେୟ ପୁରାଣ ଅନୁସାରେ , ଅଣିମା,ମହିମା,ଗରିମା,ଲଘିମା,ପ୍ରାପ୍ତି,ପ୍ରାକାମ୍ୟ,ଈଷିତ୍ୱ ଏବଂ ବଶିତ୍ୱ ଏହି ଅଷ୍ଟସିଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସିଦ୍ଧିଦାତ୍ରୀ ।
ମା’ସିଦ୍ଧିଦାତ୍ରୀ ଭକ୍ତ ଏବଂ ସାଧକଙ୍କୁ ଏହି ସବୁ ସିଦ୍ଧି ପ୍ରଦାନ କରିବାରେ ସମର୍ଥ ଥାଆନ୍ତି । ଦେବୀପୁରାଣ ଅନୁସାରେ , ଭଗବାନ ଶିବ ମାତାଙ୍କ କୃପାରୁ ହିଁ ଏହି ସିଦ୍ଧି ପ୍ରାପ୍ତ କରିଥିଲେ । ମାତାଙ୍କ ଅନୁକମ୍ପାରୁ ହିଁ ମହାଦେବଙ୍କ ଅର୍ଦ୍ଧ ଶରୀର ଦେବୀର ହୋଇଥିଲା । ଏହି ଶରୀର ପରେ ଅର୍ଦ୍ଧନାରେଶ୍ୱର ନାଁରେ ପୂଜ୍ୟ ହୋଇଥିଲା । ଚତୁଃଭୁଜା ମା’ ସିଦ୍ଧିଦାତ୍ରୀଙ୍କ ବାହନ ସିଂହ । କମଳ ପୁଷ୍ପରେ ବିରାଜିତା ମା’ ଙ୍କ ଡାହାଣପଟର ନିମ୍ନ ହସ୍ତରେ କମଳପୁଷ୍ପ ରହିଛି । ନବଦୂର୍ଗାଙ୍କ ୯ ରୂପର ଅନ୍ତିମ ରୂପ ହେଉଛନ୍ତି ମା’ । ଅଷ୍ଟଦୂର୍ଗାଙ୍କ ଉପାସନା ପଶ୍ଚାତ୍ ମା’ ସିଦ୍ଧିଦାତ୍ରୀଙ୍କ ଉପାସନା ସମ୍ପନ୍ନ କରିବା ପରେ ଭକ୍ତ ନବଦୂର୍ଗାଙ୍କୁ ପ୍ରସନ୍ନ କରିଥାନ୍ତି । ଲୌକିକ,ପରଲୌକିକ ସବୁ ପ୍ରକାର କାମନାର ପୂର୍ତ୍ତୀ ହୋଇଥାଏ ।
ଶାସ୍ତ୍ର ବିଧି ବିଧାନ ଅନୁସାରେ ଅଷ୍ଟ ଦୁର୍ଗାଙ୍କର ପୂଜା ଉପାସନା ଶେଷ କରି ସାଧକ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି। ସକଳ କାମନା ପୂର୍ଣ୍ଣ ହୋଇଥାଏ । ମାତା ଭଗବତୀଙ୍କର ଅଖଣ୍ଡ କୃପା ସଦା ସର୍ବଦା ପ୍ରାପ୍ତ ହୋଇଥାଏ । ଧ୍ୟାନ ସ୍ମରଣ ପୂଜନ ଦ୍ୱାରା ଆମକୁ ଏହି ସଂସାରର ଅସାରତା ବୋଧ କରାଇ ବାସ୍ତବିକ ପରମ ଶାନ୍ତି ଓ ଅମୃତପଦ ପ୍ରାପ୍ତି ହୋଇଥାଏ । ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ସିଦ୍ଧିଦାତ୍ରୀ ଶବ୍ଦର ଦୁଇଟି ଅର୍ଥ ରହିଛି। ପ୍ରଥ ସିଦ୍ଧିର ଅର୍ଥ ଧ୍ୟାନ ଏବଂ ଧାତ୍ରୀ ଅର୍ଥ ଯିଏ ପ୍ରଦାନ କରେ। ମା’ ପଦ୍ମଫୁଲ କିମ୍ବା ସିଂହ ଉପରେ ବସିଥାନ୍ତି। ଚର୍ତୁଭୁଜା ଶଙ୍ଖ, ପଦ୍ମ ଧରି ଧରାବତରଣ କରନ୍ତି। ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ବର ବେଶରେ ନାରୀଙ୍କ ବେଶ ମା’ ସିଦ୍ଧିଦାତ୍ରୀଙ୍କର ରହିଥାଏ।
