ନୂଆଦିଲ୍ଲୀ: ମଣିପୁର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମଣିପୁରର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ‘ମଣି’ ଶବ୍ଦ ରହିଛି । ‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ପ୍ରାୟ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି କହିଛନ୍ତି ମୋଦି ।
ମୋଦି ଆହୁରି କହିଛନ୍ତି, ମଣିପୁର ଏକ ସୀମାନ୍ତ ରାଜ୍ୟ, ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ । ମୁଁ ଭଲଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣ ଅସୁବିଧାରେ । ମଣିପୁରରେ ରାସ୍ତା ଓ ରେଳପଥ ପାଇଁ ବଜେଟ୍ ବୃଦ୍ଧି କରାଯାଇଛି । ଗାଁଗୁଡ଼ିକୁ ରାସ୍ତା ସହ ସଂଯୋଗ କରିବା ପାଇଁ ପ୍ରୟାସ କରାଯାଇଛି । ମଣିପୁରରେ NH ପାଇଁ ୩,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ନୂଆ ରାଜପଥ ନିର୍ମାଣ ପାଇଁ ୮,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ୭-୮ ବର୍ଷ ପୂର୍ବେ ମାତ୍ର ୨୫-୩୦ ହଜାର ଘରେ ପାଇପ୍ ଜଳ ପହଞ୍ଚୁଥିଲା । ଆଜି ୩.୫ ଲକ୍ଷରୁ ଅଧିକ ଘରେ ନଳରୁ ଜଳ ଯୋଗାଣର ସୁବିଧା ମିଳୁଛି ବୋଲି କହିଛନ୍ତି ମୋଦି ।
