ଭୁବନେଶ୍ୱର: ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ l ବଂଶଧାରା ନଦୀ ଛଡ଼ା ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ l କାଶୀନଗର ନିକଟରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି l କାଶୀନଗରରେ ବଂଶଧାରା ୫୫.୨୪ ମିଟରରେ ପ୍ରବାହିତ ହେଉଛି l ଫଳରେ ତଳିଆ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କାରେ ପ୍ରଶାସନ ସଜାଗ୍ ରହିଛି l ହୀରାକୁଦରେ ଜଳସ୍ତର ବଢ଼ୁଛି କିନ୍ତୁ ମହାନଦୀରେ ବନ୍ୟାସ୍ଥିତି ନାହିଁ l ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢ଼ିବ, ହେଲେ ବନ୍ୟା ହେବନି ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ l
ସେ ଆହୁରି କହିଛନ୍ତି, ଏବେ ୯ଟି ଗେଟ୍ ଦେଇ ଦୀରାକୁଦରୁ ଜଳ ନିଷ୍କାସନ ହେଉଛି l ରେଙ୍ଗାଲି, ଇନ୍ଦାବତୀ, କୋଲାବ୍ ଜଳଭଣ୍ଡାରରେ ଜଳସ୍ତର ସ୍ଥିର ରହିଛି l ୮୯ ବ୍ଲକରେ ବର୍ଷା ରେକର୍ଡ ହୋଇଛି, କିନ୍ତୁ ବନ୍ୟା ଆଶଙ୍କା ନାହିଁ l ସେପଟେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷକରି ଗଜପତିରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ଦିଗପହଣ୍ଡିର ଘୋଡ଼ାହାଡ଼ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଆଞ୍ଚଳ ପାଇଁ ସତର୍କ ସୂଚନା ଜାରି ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସର୍ତକ କରାଇଛି ଘୋଡ଼ାହାଡ଼ ଜଳ ସେଚନ ବିଭାଗ । ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡ଼ାକୁ ଗମନାଗମନ ବିଛିନ୍ନ ହୋଇଛି ।
