ନୂଆପଡା: ଆଜିଠୁ ଆରମ୍ଭ ହେବ ନୂଆପଡା ଉପନିର୍ବାଚନ ପ୍ରକ୍ରିୟା । ନୂଆପଡା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ୨୦ ତାରିଖ ଯାଏ ନାମାଙ୍କନ ଭରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନଭେମ୍ବର ୧୧ରେ ଭୋଟଗ୍ରହଣ କରାଯିବାକୁ ଥିବା ବେଳେ ୧୪ନଭେମ୍ବରରେ ଆସିବ ଫଳାଫଳ।
ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ୍ ୩୫୮ ଟି ବୁଥ୍ ଅଛି । ଭୋଟରଙ୍କ ସଂଖ୍ୟା ୨୪୮୨୫୬ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧୨୨୧୦୩, ମହିଳା ୧୨୬୧୩୨ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ । ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୫,୧୫ ଅକ୍ଟୋବର ଠାରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ।
ଉପନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ତିନି ରାଜନୈତିକ ଦଳରେ ଏବେ ଚାଲିଛି ମାନସ ମନ୍ଥନ । କେଉଁ ଦଳ କାହାକୁ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢିବାକୁ ମଇଦାନକୁ ଓହ୍ଲାଇବ ସେନେଇ ଚାଲିଛି ଅଙ୍କକଷା । କିନ୍ତୁ ଏହାରି ଭିତରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିସାରିଛି । ଘାସୀରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଅନ୍ୟ ଦୁଇ ଦଳ ଏଯାଏଁ ତାଙ୍କର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ।
ସେପଟେ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଙ୍କି ମାରୁଛି ।
