ଓଡିଶା ଲିଟେରାରୀ ଫେଷ୍ଟିଭାଲ ଲେଖକ, ସାହିତ୍ୟିକଙ୍କ ପାଇଁ ଏକ ସୁନ୍ଦର ପ୍ଲାଟ୍‌ଫର୍ମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାର ପ୍ରାଚୀନତା ଓ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିବା ସହ ଭାଷା-ସାହିତ୍ୟ ଓ ଅସ୍ମିତାର ସୁରକ୍ଷା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ଆଲୋଚନା କରିଛନ୍ତି । ଏହି ସାହିତ୍ୟ ଉତ୍ସବ ଲେଖକ, ସାହିତ୍ୟିକ ଏବଂ ସାହିତ୍ୟ କ୍ଷେତ୍ରରେ ରୁଚି ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସୁନ୍ଦର…

ଭୁବନେଶ୍ଵର: ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାର ପ୍ରାଚୀନତା ଓ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିବା ସହ ଭାଷା-ସାହିତ୍ୟ ଓ ଅସ୍ମିତାର ସୁରକ୍ଷା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ଆଲୋଚନା କରିଛନ୍ତି । ଏହି ସାହିତ୍ୟ ଉତ୍ସବ ଲେଖକ, ସାହିତ୍ୟିକ ଏବଂ ସାହିତ୍ୟ କ୍ଷେତ୍ରରେ ରୁଚି ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସୁନ୍ଦର ପ୍ଲାଟ୍‌ଫର୍ମ। ଏହି ପ୍ଲାଟ୍‌ଫର୍ମ ଭାଷା ଓ ସାହିତ୍ୟ ସମ୍ପର୍କରେ ଭାବ ଓ ଜ୍ଞାନର ଆଦାନ ପ୍ରଦାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀ ମାଝି ଆହୁରି କହିଛନ୍ତି, ଭାଷା ମାନବ ସଭ୍ୟତାର ପ୍ରାଣକେନ୍ଦ୍ର । ଇଣ୍ଡୋ-ୟୁରୋପୀୟ ଭାଷା ପରିବାରର ଭାରତୀୟ ଆର୍ଯ୍ୟ ଭାଷା ଶାଖାର ଏକ ବଳିଷ୍ଠ ସୁଦୂରପ୍ରସାରୀ ପ୍ରାଚୀନ ଭାଷା ହେଉଛି ଓଡ଼ିଆ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ବେଳର ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ବୌଦ୍ଧପୀଠର ବିଭିନ୍ନ ଉପାଦାନ, ବହୁ ପ୍ରାଚୀନ ଅଭିଲେଖ, ତାମ୍ରଫଳକ, ଅନୁଶାସନ, ପୁରୁଣା ପୋଥି ଓ ବିିଭିନ୍ନ ତାଳପତ୍ର ଖେଦାରୁ ଆମ ଓଡ଼ିଆ ଭାଷା କେତେ ପୁରୁଣା ତାହା ପ୍ରମାଣିତ ହୋଇଛି । ୨୦୧୪ ମସିହାରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଅର୍ଜନ କରିବା ଫଳରେ ଆମ ଭାଷାର ପ୍ରାଚୀନତା ପ୍ରମାଣିତ ହୋଇସାରିଛି । ପ୍ରାୟ ତିନି ହଜାର ବର୍ଷର ଐତିହାସିକତା ଉପରେ ପ୍ରତିଷ୍ଠିତ ଓଡ଼ିଆ ଭାଷାର ଲିପି ବ୍ରାହ୍ମୀଲିପିରୁ ତା’ର ଅସ୍ତିତ୍ୱ ଅର୍ଜନ କରିଛି । ଆମ ଓଡ଼ିଆ ଭାଷା ମଧ୍ୟ ବିଭିନ୍ନ ଆଞ୍ଚଳିକ ଭାଷା ଓ ଜନଜାତିଙ୍କ ଭାଷା ଦ୍ୱାରା ବହୁଭାବରେ ଉପକୃତ, ଉତ୍ସାହିତ ଓ ସମୃଦ୍ଧ ହୋଇଛି । ତେଣୁ, ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନ, ଓଡ଼ିଆ ଭାଷାର ସମୃଦ୍ଧି ଓ ସଂରକ୍ଷଣ ସକାଶେ ସବୁ ମହଲରେ ଉଦ୍ୟମ ଜାରି ରହିଛି । ଓଡ଼ିଆ ଭାଷାକୁ ଜ୍ଞାନଭଣ୍ଡାରର ଭାଷା ଭାବରେ ବ୍ୟବହାର କରିବା ଦିଗରେ ସବୁପ୍ରକାର ପ୍ରଚେଷ୍ଟା ଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, କେନ୍ଦ୍ର ସରକାର ବିଭିନ୍ନ ପାଠ୍ୟପୁସ୍ତକ, ଏପରିକି ଡାକ୍ତରୀ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ବିଦ୍ୟାର ଅଧ୍ୟୟନ ନିମନ୍ତେ ଆବଶ୍ୟକ ପାଠ୍ୟପୁସ୍ତକକୁ ଓଡ଼ିଆ ଭାଷାରେ ପ୍ରକାଶ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।ଓଡ଼ିଆ ସାହିତ୍ୟ ତା’ର ଭାଷାକୁ ଧରି କ୍ରମୋନ୍ନତି ପଥରେ ଅଗ୍ରସର ହେଉଛି । ତେବେ ଶୁଦ୍ରମୁନୀ ସାରଳା ଦାସଙ୍କ ପୂର୍ବରୁ ଓଡ଼ିଆର ଲୋକସାହିତ୍ୟ, ଅଭିଲେଖ ସାହିତ୍ୟ ଓ ଲିଖିତ ସାହିତ୍ୟ ରହିଛି। ଲୋକଗୀତ, ଲୋକକାହାଣୀ, ଲୋକନାଟକ, ବିଭିନ୍ନ ଅଭିଲେଖ ଓଡ଼ିଆ ଭାଷାକୁ ଋଦ୍ଧିମନ୍ତ କରିଥିବାବେଳେ ଚର୍ଯ୍ୟା ସାହିତ୍ୟ ବା ସିଦ୍ଧ ସାହିତ୍ୟକୁ ପ୍ରଥମ ଲିଖିତ ସାହିତ୍ୟ ଭାବେ ଗ୍ରହଣ କରାଯାଉଛି। ଆଲୋଚକମାନଙ୍କ ମତରେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ରଚିତ ସିଦ୍ଧ ସାହିତ୍ୟଗୁଡ଼ିକରେ ଓଡ଼ିଆ ଭାଷା ପ୍ରାଧାନ୍ୟ ଲାଭ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

Leave a Reply

Your email address will not be published. Required fields are marked *