ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ ଅଭିଯୋଗ

କୋଲକାତା: ପୁଣି ପଶ୍ଚିମବଙ୍ଗରେ ଲଜ୍ଜା । ଏବେ ବି ମନରୁ ଲିଭିନି ଆର୍ ଜି କର ମେଡ଼ିକାଲ କଲେଜରେ ମହିଳା ଡ଼ାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା । ପୁଣି ପଶ୍ଚିମବଙ୍ଗରେ ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ଦ୍ବିତୀୟ ବର୍ଷରେ ପଢୁଥିବା ଓଡ଼ିଆ ମେଡ଼ିକାଲ ଛାତ୍ରୀ । ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ଜଡ଼ିତ ରହିଥିବା ବେଳେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ବର୍ଦ୍ଧମାନ…

କୋଲକାତା: ପୁଣି ପଶ୍ଚିମବଙ୍ଗରେ ଲଜ୍ଜା । ଏବେ ବି ମନରୁ ଲିଭିନି ଆର୍ ଜି କର ମେଡ଼ିକାଲ କଲେଜରେ ମହିଳା ଡ଼ାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା । ପୁଣି ପଶ୍ଚିମବଙ୍ଗରେ ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ଦ୍ବିତୀୟ ବର୍ଷରେ ପଢୁଥିବା ଓଡ଼ିଆ ମେଡ଼ିକାଲ ଛାତ୍ରୀ । ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ଜଡ଼ିତ ରହିଥିବା ବେଳେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ବର୍ଦ୍ଧମାନ ଜିଲ୍ଲା ପୋଲିସ କହିଛି । ଏପରି ଘଟଣା ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳର ବର୍ଦ୍ଧମାନ ଜିଲ୍ଲାରୁ ସାମ୍ନାକୁ ଆସିଛି ।

ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଶୁକ୍ରବାର ରାତିରେ ଘରୋଇ ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଏପରି କାଣ୍ଡ ହୋଇଛି । ଦ୍ୱିତୀୟ ବର୍ଷର ଛାତ୍ରୀ ଜଣେ ବନ୍ଧୁଙ୍କ ସହ ରାତ୍ରୀଭୋଜନ କରିବାକୁ ଯିବା ସମୟରେ ଏହି ଘଟଣା ଘଟିଛି । ଫଳରେ ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ କରୁଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଛାତ୍ରୀଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା । ସେ ବର୍ତ୍ତମାନ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ସେପଟେ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ବାପା । ମେଡିକାଲ କତ୍ତୃପକ୍ଷ ସହଯୋଗ କରୁ ନାହାନ୍ତି ବୋଲି କହିଁଛନ୍ତି ପୀଡ଼ିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି କିଛି ଜଣାଉ ନାହାନ୍ତି । ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଏଠାକାର ସରକାର ଚୁପ୍‌ । ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇ ସାରନ୍ତାଣି ବୋଲି କହିଛନ୍ତି ପୀଡିତାଙ୍କ ବାପା । ସେପଟେ ଉକ୍ତ ଘଟଣାକୁ ନେଇ ଦୁର୍ଗାପୁର ସ୍ଥିତ ମେଡିକାଲ୍‌ କଲେଜ ଭିତରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କଠୋର କାର୍ଯ୍ୟାନୁଷ୍ଠାନ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ଏକ୍ସରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ। ଏହି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦୃଢ଼ ଦାବି ଜଣାଉଛି। ମୁଁ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହା ସହ ପଶ୍ଚିମବଙ୍ଗର ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *