ଭୁବନେଶ୍ଵର: ଓଡ଼ିଶାକୁ ଆସିବ ୬୦୦ e-ବସ୍। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରିବେଶ ସୁରକ୍ଷା ପାଇଁ e-ବସ୍ ଅଧିକ ପ୍ରଚଳନ କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ବର୍ତ୍ତମାନ ୧ ହଜାର e-ବସ୍ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ୨୦୦ଟି e-ବସ୍ ଆଣିବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।
ଲୋକଙ୍କୁ ଆରାମଦାୟକ ଯାତ୍ରା ସାଙ୍ଗକୁ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ମୋହନ ମାଝୀ ସରକାର ରାଜ୍ୟ ଆଗାମୀ ଦିନରେ ୨ ଶହ ଅଧିକ ଇ-ବସ୍ ଚଲାଇବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି e-ବସ୍ ପ୍ରଦାନ କରିବେ। ମୋଟ ୬୦୦ଟି e-ବସ୍ ଜନସାଧାରଣଙ୍କ ସେବାରେ ଲାଗିବ। ଏବେ ୨୫ଟି e-ବସ୍ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ। ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ e-ବସ୍ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ତେବେ ଇ-ବସ୍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ ସ୍ୱଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ-ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ସହିତ ଦ୍ରୁତ ଗତିରେ ଆଗକୁ ବଢୁଛି ।
