ନବରାତ୍ରୀର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ଦର୍ଶନ ଦେଇଛନ୍ତି ଜଗତଗନନୀ

ଭୁବନେଶ୍ଵର: ପାଖେଇ ଆସୁଛି ମା’ ଦୁର୍ଗାଙ୍କ ବିଜୟା ଦଶମୀ, ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଏନେଇ ଚଳଚଞ୍ଚଳ ଶକ୍ତିପୀଠ ସହ ପୂଜା ମଣ୍ଡପ । ନଅ ଦିନ ଧରି ନଅଟି ରୂପରେ ପୂଜା ପାଇବେ ମା’ ଦୁର୍ଗା । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ ପୂଜା ପାଇବା ପରେ ଆଜି…

ଭୁବନେଶ୍ଵର: ପାଖେଇ ଆସୁଛି ମା’ ଦୁର୍ଗାଙ୍କ ବିଜୟା ଦଶମୀ, ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଏନେଇ ଚଳଚଞ୍ଚଳ ଶକ୍ତିପୀଠ ସହ ପୂଜା ମଣ୍ଡପ । ନଅ ଦିନ ଧରି ନଅଟି ରୂପରେ ପୂଜା ପାଇବେ ମା’ ଦୁର୍ଗା । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ ପୂଜା ପାଇବା ପରେ ଆଜି ମା’ଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯିବ । ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ । କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ । ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି । ମା’ଙ୍କ ଏହି ବେଶରେ ଚାରୋଟି ହସ୍ତ ଥାଏ । ଗୋଟିଏ ହାତରେ ମା’ ସ୍କନ୍ଦଙ୍କୁ ଧରିଥିବା ବେଳେ ଅନ୍ୟ ହାତରେ ପଦ୍ମଫୁଲ ସହ ବରଦାନ ମୁଦ୍ରାରେ ରହିଥାନ୍ତି ।

ମା’ଙ୍କ ବର୍ଣ୍ଣ ଶୁଭ୍ର ହୋଇଥିବା ବେଳେ ସେ ପଦ୍ମ ଆସନରେ ସିଂହ ଉପରେ ବିରାଜମାନ କରିଥାନ୍ତି । ଏଥିପାଇଁ ମା’ଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ମା’ଙ୍କର ଏପରି ସ୍ବରୂପ ଭକ୍ତଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । ବିଶ୍ବାସ ରହିଛି ନବରାତ୍ରୀରେ ମା’ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ଜନ୍ମ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ଥାନ୍ତି ସେମାନେ ଯଦି ଏହି ଦିନ ସ୍କନ୍ଦମାତାଙ୍କ ପୂଜା କରନ୍ତି ତେବେ ବୃହସ୍ପତିଙ୍କର ପ୍ରକୋପ କମ ହୋଇଯାଏ । ଆଉ ଜୀବନରେ ଉନ୍ନତି ଆସେ । କାରଣ ବୃହସ୍ପତି ଶିକ୍ଷା, ସମୃଦ୍ଧି, ଉଚ୍ଚପଦ ଓ ସମ୍ମାନର ଗ୍ରହ ଅଟନ୍ତି । ସ୍କନ୍ଦମାତାଙ୍କର ବାହାନ ସିଂହ ଅଟେ । ମା’ ସ୍କନ୍ଦମାତାଙ୍କୁ କଦଳୀର ଭୋଗ ସବୁଠୁ ପ୍ରିୟ । ଏହା ସହ କ୍ଷୀରିରେ କେଶର ମିଶାଇ ପ୍ରସାଦ ଲାଗି ହୋଇଥାଏ ।

ନବରାତ୍ରିରେ ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ମା’ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ । ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ମା’ ଦୂର କରିଥାନ୍ତି । ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ । ବିଧି ପୂର୍ବକ ମା’ଙ୍କୁ ପୂଜା କଲେ ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ମା’ ସ୍କନ୍ଦମାତାଙ୍କ ପୂଜା ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୌରାଣିକ କଥା ଅନୁସାରେ, ମା ହିମାଳୟ ପୁତ୍ରୀ । ମା’ ମାହେଶ୍ୱରୀ ଓ ଗୌରୀ ନାମରେ ମଧ୍ୟ ନାମିତ । ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜମାନ । ମା’ଙ୍କ ରୂପ ଅତ୍ୟନ୍ତ ସୁନ୍ଦର। ତାଙ୍କ ମୁଖରେ ଏକ ଉଜ୍ଜ୍ୱଲ୍ୟ ଦେଖିବାକୁ ମିଳିଥାଏ । ସେଥିପାଇଁ ତାଙ୍କୁ ମା’ ଗୌରୀ ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *