ପୁରୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ହବିଷ୍ୟାଳୀଙ୍କ ଅନଲାଇନ ପଞ୍ଜିକରଣ । ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ । ପ୍ରାୟ ଅଢ଼େଇ ହଜାର ହବିଷିଆଳି ଙ୍କ ପାଇଁ ଏଥର ହୋଇଛି ବ୍ୟବସ୍ଥା । କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲ୍ଲାପାଳ । ଏନେଇ ବିଜ୍ଞପ୍ତି ଜାରି ହୋଇଛି ।
ଆସନ୍ତା ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ହବିଷ୍ୟାଳୀଙ୍କ ପାଇଁ ପୁରି ଉଠିବ ବଡଦାଣ୍ଡ । ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ପୁରୀ ପ୍ରଶାସନ । ସୁରକ୍ଷିତ ରହଣି, ସ୍ନାନ, ଶୌଚ, ମହାପ୍ରସାଦ ସେବନ ଆଦି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ କୁହାଯାଇଛି । ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦିଆଯାଇଛି ଦାୟିତ୍ବ । ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା ମାନେ ହିଁ ହାବିଷ୍ୟାଳୀ ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର । ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ ।
