ପୁରୀ: ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି। ଶତାଧିକ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି। ଏନେଇ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଦୀର୍ଘ ପନ୍ଦରଦିନ ଧରି ପିତୃପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଏହି ପିତୃପକ୍ଷ ଚାଲୁରହିବ।
ଆଶ୍ୱିନ ମାସର ପ୍ରଥମ ପକ୍ଷକୁ “ପିତୃପକ୍ଷ” କୁହାଯାଏ । ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ ହୁଏ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ । ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ ।
ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ । କୁହାଯାଏ ଯେ, ପିତୃପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ । ଏପରି ପରିସ୍ଥିତିରେ ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍ । ପିତୃପକ୍ଷରେ ଘରେ ସାତ୍ୱିକ ଖାଦ୍ୟ ରହିବା ଭଲ । ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ସେବନ କଲେ ପିତୃ ଦୋଷ ଲାଗିଥାଏ । ବିଶେଷକରି ଯେଉଁମାନେ ପିତୃପକ୍ଷ ଉପରେ ଦୈନିକ ତର୍ପଣ କରନ୍ତି ସେମାନେ ତାମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ୍ ।
