ଭୁବନେଶ୍ଵର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀରେ ରାଜଧାନୀର ପାଣ୍ଡରାଠାରେ ଏକ ବୃହତ୍ ମାଛ ମାର୍କେଟର ଶିଳାନ୍ୟାସ କରିଛନ୍ତି। ଏଥିଲାଗି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ଭଳି ଏକ ରାଜ୍ୟରେ ବ୍ୟାପକ ଫସଲ ହାନି ପ୍ରତିବର୍ଷ ହୋଇଥାଏ । ବାତ୍ୟା, ବନ୍ୟା, ମରୁଡ଼ି, ଅଦିନିଆ ବର୍ଷା ଆଦି ପାଇଁ ରାଜ୍ୟର ଚାଷୀକୁଳକୁ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ପ୍ରଧାନମନ୍ତ୍ରୀ ଅନ୍ନଦାତା ଓ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜରିଆରେ ତୁରନ୍ତ କ୍ଷତିପୂରଣ ସୁନିଶ୍ଚିତ କରିଛନ୍ତି ।
ଗତ ୧୧ ବର୍ଷ ଭିତରେ ଆମ ଦେଶ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଦେଶକୁ ପ୍ରମୁଖ ଖାଦ୍ଯଶସ୍ଯ, ତୈଳବୀଜ ଓ ଡାଲି ଜାତୀୟ ପଦାର୍ଥ ଦିଗରେ ଆତ୍ମନିର୍ଭର କରିବା ଆବଶ୍ୟକ । ଆଜି ବି ଆମ ଦେଶ ଡାଲି ଏବଂ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ । ଆମକୁ ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ପଡିବ। ତେଣୁ, ଆଜି ମାନ୍ୟବର ମୋଦୀଙ୍କ କର କମଳରେ ଶୁଭାରମ୍ଭ ହେଉଥିବା ଯୋଜନା ଗୁଡିକ ଆତ୍ମନିର୍ଭର କୃଷକଙ୍କ ପ୍ରତି ଉତ୍ସର୍ଗୀକୃତ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଭୁବନେଶ୍ୱରର ପାଣ୍ଡରା ହୋଲସେଲ୍ ମାଛ ମାର୍କେଟ ପ୍ରକଳ୍ପ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ୫୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଏହା ନିର୍ମିତ ହେବ। ଏଥିରେ ୩୦ କୋଟି ଟଙ୍କା କେନ୍ଦ୍ର ସରକାର ଓ ୨୯ କୋଟି ୧୩ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ମାର୍କେଟ ସିଧାସଳଖ ଭାବରେ ୧୪୩ ବ୍ୟବସାୟୀଙ୍କୁ ଉପକୃତ କରାଇବ ଓ ୨,୦୦୦ରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ ।
ଭୁବନେଶ୍ୱର ଓ କଟକର ଖାଉଟିମାନଙ୍କ ଚାହିଦାକୁ ପୂରଣ କରିବ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି ଏବଂ ପ୍ରକଳ୍ପ କାର୍ଯ୍ୟ ୨୦୨୭ ନଭେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଇଣ୍ଟିଗ୍ରେଟେଡ୍ ଆକ୍ୱା ପାର୍କ ଏବଂ ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର- ଏହି ଦୁଇଟି ପ୍ରକଳ୍ପ ମିଶି ପ୍ରଥମେ ଉତ୍ପାଦନ ପରେ ପ୍ରସ୍ତୁତି ଓ ବିପଣନ ପର୍ଯ୍ୟନ୍ତ ଏକ ଭାଲ୍ୟୁ ଚେନ୍ ସୃଷ୍ଟି କରିବ । ଭାରତର ନୀଳ ବିପ୍ଲବ ରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ ବୋଲି ସେ କହିଥିଲେ।
