ଭୁବନେଶ୍ଵର: ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ପୋଲିସର ତନାଘନା । ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ଘଟଗାଁ ଥାନାରେ ସିନ ରିକ୍ରିଏସନ କରିଛି ପୋଲିସ । ସେପଟେ ଶୁଭମିତ୍ରାକୁ ମାରିକି ପୋତି ଥିବା ସ୍ଥାନକୁ ଖୋଳାଯାଇ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ଲାଷ୍ଟିକ ଅଖାରେ ବନ୍ଧା ଯାଇଥିବା ଶୁଭମିତ୍ରାର ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା ମୃତଦେହ । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ । ଅନ୍ୟପଟେ ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ଓ ସମ୍ପର୍କୀୟ ଭାଇକୁ ଗିରଫ କରିଛି ପୋଲିସ । ତେବେ ଦୀପକ ମଧ୍ୟ ଜଣେ ପୋଲିସ କନଷ୍ଟେବଲ୍ ହୋଇଥିବାରୁ ଚତୁରତା ଆପଣାଇଥିଲା । ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଗଲା ଦୀପକ ।
ଅନ୍ୟପଟେ କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ବଡ ତଥ୍ୟ ସାମ୍ନାକୁ ଆଣିଛି ପୋଲିସ । ଗଣମାଧ୍ୟମକୁ ସୂଚନା ଦେଇ ସିପି ଏସ୍. ଦେବଦତ୍ତ ସିଂ କହିଛନ୍ତି, ୧୦ ଲକ୍ଷ ଟଙ୍କା ଝଗଡ଼ାରୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଝଗଡ଼ା ହୋଇଥିଲା । ତେବେ ଏଯାବତ ଏକା ହତ୍ୟା କରିବା ପ୍ରମାଣ ମିଳିଛି, ତଥାପି ତଦନ୍ତ ଚାଲିଛି । ମାତ୍ର ମୃତଦେହ ଘଟଗାଁ ନେଇ ପୋତିବା ନେଇ ଖୋଳତାଡ଼ ଚାଲିଛି । ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା ଦୀପକ । ୧ କୋଟି ଟଙ୍କାର ବୀମା କରିବା ନେଇ ସୂଚନା ମିଳିଛି । ଦୀପକର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି, ରିପୋର୍ଟ ଆସିବାକୁ ଅଛି ବୋଲି କହିଛନ୍ତି ସିପି ଏସ୍. ଦେବଦତ୍ତ ସିଂ ।
ଘଟଣା ମୁତାବକ, ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । ଶୁଭମିତ୍ରା ନିଖୋଜ ପରଠୁ ସନ୍ଦେହ ଘେରରେ ଥିଲା ପୋଲିସ ସେବା ଭବନରେ କିରାଣୀ ଭାବରେ କାର୍ଯ୍ୟରତ ଥିବା ପୁରୁଷ ବନ୍ଧୁ ଦୀପକ ରାଉତ । ମହିଳା କନଷ୍ଟେବଳ ନିଖୋଜ ନେଇ କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ତନାଘନା କରିଥିଲା । ପ୍ରଥମରୁ ହିଁ ପୁରୁଷ ବନ୍ଧୁଙ୍କ ସନ୍ଦେହ କରିବା ସହିତ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଥିବା ସମୟରେ ସାମ୍ନାକୁ ଆସିଲା ଥିଲା ଦୀପକ ଶୁଭମିତ୍ରାଙ୍କୁ ଘଟଗାଁ ନେଇ ଯାଇଥିବା ର ଏକ ଭିଜୁଆଲ୍ । ତେବେ ଗତ ୬ ତାରିଖରେ ଭୁବନେଶ୍ୱରରେ ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରି ତାଙ୍କ ମୃତଦେହକୁ କାର୍ ଯୋଗେ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳକୁ ନେଇ ସେଠାରେ ଏକ ଜଙ୍ଗଲରେ ପୋତି ଦେଇଥିଲେ । ମୃତଦେହ ନେଇଥିବା କାର୍କୁ ପୋଲିସ ଜବତ କରିଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ସିନ୍ ରିକ୍ରିଏସନ କରିଛି ।
