ଭୁବନେଶ୍ଵର: ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଜୟ ଗେରୁଆ ଦଳରେ ସାମିଲ ହୋଇଛନ୍ତି । ଦଳକୁ ଜୟଙ୍କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ।
ବିଜେପିର ମିଶ୍ରଣ ପର୍ବରେ ଜୟ ଢୋଲକିଆଙ୍କୁ ମୁଖ୍ୟମନ୍ତ୍ରୀ ଦଳରେ ସ୍ବାଗତ କରି କହିଛନ୍ତି, ପିତା ରାଜୁ ଢୋଲକିଆଙ୍କ ଅଧୂରା ସ୍ବପ୍ନକୁ ପୁଅ ଜୟ ପୁରଣ କରିବେ । ପୂର୍ବ ସରକାରରେ ରାଜୁ ଢୋଲକିଆ ଅସହାୟ ମନେ କରୁଥିଲେ । ଚାରି ଚାରି ଥର ବିଧାୟକ ଓ ମନ୍ତ୍ରୀ ଥିଲେ ବି ଅସହାୟ ମନେ କରୁଥିଲେ ରାଜୁ । ୩ଟି ଟର୍ମରେ ମୁଁ ତାଙ୍କ ସହ ବିଧାନସଭାରେ ଏକାଠି କାମ କରିଥିଲି । ରାଜୁ ଢୋଲକିଆଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥିଲେ, କେହି ଶତ୍ରୁ ନ ଥିଲେ । ଆଜି ତାଙ୍କ ପୁଅ ଜୟ ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇଛନ୍ତି । ସବୁ ନେତୃବୃନ୍ଦଙ୍କ ସହମତିରେ ଜୟଙ୍କୁ ବିଜେପିରେ ସାମିଲ କରାଯାଇଛି । ଜୟ ନୂଆପଡ଼ାରେ ବିକାଶର ମଙ୍ଗ ଧରିବେ ବୋଲି ଆଶା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ବିଜେପିରେ ସାମିଲ ହେବା ପରେ ଜୟ ଢୋଲକିଆ କହିଛନ୍ତି, ଦଳ ଯାହା ଦାୟିତ୍ବ ଦେବ ତାହାକୁ ପାଳନ କରିବି । ରାଜ୍ୟରେ ଚାଲିଥିବା ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ବାପାଙ୍କ ଅଧୂରା ସ୍ବପ୍ନ ପୂରଣ ଓ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରିବି ବୋଲି କହିଛନ୍ତି ଜୟ ଢୋଲକିଆ ।
