ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ରାଜେନ୍ଦ୍ର ଢୋଲକିଆ । ହୃଦଘାତର ଶିକାର ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ତାଙ୍କ ପାର୍ଥୀବ ଶରୀରକୁ ଚେନ୍ନାଇରୁ ଓଡ଼ିଶାକୁ ଅଣାଯାଉଛି । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି । ରାଜେନ୍ଦ୍ରଙ୍କ ବିୟୋଗରେ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ନିରବ ପ୍ରାର୍ଥନା କରାଯାଇଥିଲା ।
ସେ ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତି ହୋଇଥିଲେ । ନବୀନ ସରକାରରେ ସେ ମନ୍ତ୍ରୀ ଥିଲେ । ୨୦୦୪, ୨୦୦୯, ୨୦୧୯, ୨୦୨୪ରେ ସେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ୧୯୫୬ ମସିହା ୨୦ ନଭେମ୍ବରରେ ଖରିଆରରେ ଜନ୍ମଗ୍ରହଣ କରିଥିଲେ ରାଜେନ୍ଦ୍ର ଢୋଲକିଆ । ପିଲାଟି ଦିନରକୁ ଲୋକଙ୍କ ହିତ ପାଇଁ କାମ କରିବାକୁ ବେଶ ରୁଚି ରଖୁଥିଲେ । ଅଭିବକ୍ତ କଳାହାଣ୍ଡି ଜିଲାରୁ ୧୯୯୩ମସିହାରେ ନୂଆ କରି ଜିଲା ହୋଇଥିଲା ନୂଆପଡା । ନୂଆପଡାକୁ ତାର ହକ୍ ଦେବା ପାଇଁ ଯେତେବେଳେ ଲଢେଇ ହେଉଥାଏ ଠିକ୍ ସେତିକି ବେଳେ ରାଜୁ ଭାଇ ଭାବେ ପରିଚିତ ଥିବା ରାଜେନ୍ଦ୍ର ଢୋଲକିଆ ଜିଲାବାସୀଙ୍କ ସେବା କରିବାକୁ ଆଗେଇ ଆସିଥିଲେ । ବିକାଶ ମୂଳକ କାର୍ଯ୍ୟ କରିଥିବାରୁ ୨୦୦୪ରେ ସ୍ୱାଧୀନରେ ପ୍ରାର୍ଥୀ ହୋଇ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ଓ ୨୦୧୯ ଦୁଇ ଦୁଇ ଥର ନବୀନ ପଟ୍ଟନାୟକଙ୍କ ସମର୍ଥନରେ ବିଜେଡିରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ୨୦୨୪ ନିର୍ବାଚନରେ ନୂଆପଡା ଆସନରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହ କଡା ଟକ୍କର ସତ୍ୱେ ବିଜୟୀ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ଘାସିରାମଙ୍କୁ ସେ ୧୦ହଜାର ୮୮୧ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।
