ଭୁବନେଶ୍ଵର: କୁହନ୍ତି ‘ଶକ୍ତି’ ବିନା ‘ଶିବ’ ହେଉଛି ‘ଶବ’। ଅର୍ଥାତ ବ୍ରହ୍ମାଣ୍ଡରେ ଉଭୟ ତତ୍ତ୍ୱର ସମାନ ମହତ୍ତ୍ଵ ଓ ଆବଶ୍ୟକତା ରହିଛି। ଶକ୍ତି ତତ୍ତ୍ୱକୁ ସବୁବେଳେ ନାରୀ ଶକ୍ତି ବା ମାତୃଶକ୍ତି ସହ ଯୋଡା ଯାଇଛି। ଯେମିତି ମା’ ସବୁବେଳେ ତା’ ସନ୍ତାନମାନଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାଏ, ସବୁ ସଙ୍କଟରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଏ, ସେମିତି ଶକ୍ତି ତତ୍ତ୍ୱ ବା ମାତୃଶକ୍ତି ମଧ୍ୟ ଏ ସ°ସାରକୁ ଘଣ୍ଟ ଘୋଡାଇ ରଖିଥାନ୍ତି। ଏହି କଥାର ମହତ୍ତ୍ଵ ଆମ ପୂର୍ବପୁରୁଷ ବେସ୍ ଅନୁଭବ କରିଥିଲେ। ସେଥି ପାଇଁ ଆମ ଦେଶରେ ପ୍ରତ୍ୟେକ ଗାଁରେ ଜଣେ ଜଣେ ଗ୍ରାମ ଦେବତୀ ଥା’ନ୍ତି, ଜଙ୍ଗଲିଆ-ନିଚ୍ଛାଟିଆ ରାସ୍ତାରେ ଦେବୀଙ୍କ ପୂଜା ସ୍ଥଳୀ ଥାଏ, ପର୍ବତ ମଥାନରେ ଦେବୀ ପିଠ ରହିଥାଏ। ସେଇ ମାତୃଶକ୍ତି, ଶକ୍ତି ତତ୍ତ୍ୱ ଉପାସନା ଉପାୟରୁ ଭାରତର ବିଭିନ୍ନ ସ୍ଥାନରେ ଶକ୍ତିପିଠ ମାନ ରହିଛି।
ମାନ୍ୟତା ଅନୁସାରେ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ସତୀଙ୍କ ଶରୀରକୁ ସମୁଦାୟ ୫୧ ଖଣ୍ଡରେ କାଟିଥିଲା, ଆଉ କିଛି କିମ୍ବଦନ୍ତୀ ଅନୁସାରେ ୧୦୮ ଖଣ୍ଡ ମଧ୍ୟ ବର୍ଣ୍ଣନା ରହିଛି। ଦେବୀ ସତୀଙ୍କ ଶରୀରରୁ ଖଣ୍ଡିତ ୫୧ଟି ଅ°ଶ ଏବଂ ଆଭୁଷଣ ପୃଥିବୀ ପୃଷ୍ଠରେ ଯେଉଁଠି ପଡିଥିଲେ, ସେହି ସବୁ ସ୍ଥଳମାନଙ୍କୁ ପବିତ୍ର ଶକ୍ତିପିଠ କୁହାଯାଏ। ଏହି ୫୧ ଶକ୍ତିପିଠର ନାମକରଣ ସସ୍କୃତ ବର୍ଣ୍ଣମାଳାର ୫୧ଟି ଅକ୍ଷର ଅନୁସାରେ ହୋଇଛି। ଏହି ଶକ୍ତିପିଠ କେବଳ ବର୍ତ୍ତମାନ ଭାରତର ରାଜନୈତିକ ମାନଚିତ୍ରର ବିଭିନ୍ନ ଅ°ଶରେ ନୁହେଁ ବର° ନେପାଳ, ତିବ୍ବତ୍, ଶ୍ରୀଲଙ୍କା, ପାକିସ୍ତାନ, ବା°ଲାଦେଶ୍ ଆଦି ସ୍ଥାନରେ ମଧ୍ୟ ବିଦ୍ୟମାନ। ‘ଶିବ ପୁରାଣ’ ଓ ‘କାଳୀକା ପୁରାଣ’ ଅନୁସାରେ ୪ଟି ମୁଖ୍ୟ ଶକ୍ତିପିଠ ରହିଛି, ଯଥା ବିମଳା (ପୁରୀ, ଓଡିଶା), ତାରା-ତାରିଣୀ (ଗଞ୍ଜାମ, ଓଡିଶା), କାମାକ୍ଷା (ଗୁଆହାଟି, ଆସାମ୍) ଏବଂ ଦକ୍ଷିଣ କାଳୀକା (କୋଲକାତା, ପଶ୍ଚିମ ବଙ୍ଗ)। ପ୍ରତ୍ୟେକ ଶକ୍ତିପିଠରେ ମା’ ଶକ୍ତି ଏବଂ କାଳଭୈରଭ ମୂଖ୍ୟ ଆରାଧ୍ୟ ଭାବରେ ପୂଜା ପାଆନ୍ତି।
ଦେବୀ ବିମଳାଙ୍କ ମନ୍ଦିର
ଦେବୀ ବିମଳାଙ୍କ ମନ୍ଦିର, ପୁରୀ ଶ୍ରୀମନ୍ଦିର ପରିସର ଭିତରେ ଦକ୍ଷିଣ-ପଶ୍ଚିମ ଦିଗରେ ରୋହିଣୀ କୁଣ୍ଡ ପାଖରେ। ଏହି ସ୍ଥାନରେ ଦେବୀ ସତୀଙ୍କର ‘ପାଦ ଖଣ୍ଡ’ ପଡିଥିଲା। ଏହାର ଆକାର, ଉଚ୍ଚତା, ନିର୍ମାଣ ଶୈଳୀ ମୁକ୍ତି ମଣ୍ଡପ ନିକଟରେ ଥିବା ନବମ ଶତାବ୍ଦୀରେ ନିର୍ମିତ ନୃସିଂହ ମନ୍ଦିର ସହ ସମାନ। ମାଦଳାପାଞ୍ଜି ଏବଂ ରିପୋର୍ଟ ଅନୁସାରେ ୯୨୨ -୯୫୫ ମଧ୍ୟରେ ରାଜା ଯଯାତି କେଶରୀ (ଦକ୍ଷିଣ କୋଶଳୀର ସୋମବଂଶୀ ରାଜା) ଏହାକୁ ନିର୍ମାଣ କରାଇଥିଲେ। ଶ୍ରୀମନ୍ଦିର ନିର୍ମାଣ ଏବଂ ଜଗନ୍ନାଥଙ୍କ ଉପାସନା ପୂର୍ବରୁ ସେହି ସ୍ଥାନରେ ବିମଳା ଦେବୀଙ୍କର ଉପାସନା ହୋଇ ଆସୁଥିଲା। ଏହା ତନ୍ତ୍ରକ୍ଷେତ୍ର। ମା’ଙ୍କ ମୂର୍ତ୍ତି ଲାଖ ନିର୍ମିତ। ଦେବୀ ବିମଳା ଜଗନ୍ନାଥଙ୍କର ‘ତାନ୍ତ୍ରିକ ସହଧର୍ମିଣୀ’ ଏବଂ ଶ୍ରୀମନ୍ଦିରର ରକ୍ଷାକାରୀ ଦେବୀଙ୍କ ମଧ୍ୟରୁ ଦେବୀ ବିମଳ ଅନ୍ୟତମ। ଏହି ଶକ୍ତିପିଠରେ ସ୍ବୟଂ ଜଗନ୍ନାଥ ହିଁ କାଳଭୈରଭ। ବିମଳାଙ୍କ ପାଖରେ ଭୋଗ ନଲାଗିବା ଯାଏ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅନ୍ନ ପ୍ରସାଦ ଲାଗି ପାରେନି। ଦୁର୍ଗାପୂଜା ହେଉଛି ମା’ ବିମଳାଙ୍କର ସବୁଠାରୁ ବିଶେଷ ପର୍ବ। ଏହି ସମୟରେ ମା’ଙ୍କ ପିଠରେ “ଷୋଡ଼ଶ ପୂଜା” ହୁଏ, ଦଶମୀ ତିଥିରେ ‘ବିଜୟାଦଶମୀ’ ପାଳନ ହୁଏ। ଦେବୀ ବିମଳା ବର୍ଷ ତମାମ ‘ପରମବୈଷ୍ଣବୀ ଠାକୁରାଣୀ’। ତନ୍ତ୍ର କ୍ଷେତ୍ର ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଆମିଷ ଭୋଗ ହୁଏ ନାହିଁ। କିନ୍ତୁ ଦୁର୍ଗାପୂଜା ସମୟରେ ତାନ୍ତ୍ରିକ ରିତିନୀତି ଅନୁସାରେ ଦେବୀ ବିମଳାଙ୍କ ପାଖରେ ଆମିଷ ଭୋଗ ହୁଏ। ପ୍ରତିଦିନ ମାର୍କଣ୍ଡ ମନ୍ଦିର ପୋଖରୀରୁ ମାଛ ଧରା ଯାଇ ବିମଳାଙ୍କ ପାଖରେ ଭୋଗ ଲାଗେ। ସପ୍ତମୀ, ଅଷ୍ଟମୀ ଏବଂ ନବମୀ ଏହି ତିନିଦିନ ଦେବୀଙ୍କ ପାଖରେ, ‘ବକୁଳ ପିଣ୍ଡି’ରେ ଦିନକୁ ଦୁଇଟି କରି ବୋଦା ବଳି ଦିଆଯାଏ। ଏହି ଭୋଗ ପ୍ରସ୍ତୁତ ହେବା ପାଇଁ ବିମଳା ମନ୍ଦିରର ଦକ୍ଷିଣ ପାର୍ଶ୍ଵ କାନ୍ଥକୁ ଲାଗି ଗୋଟିଏ ଅସ୍ଥାୟୀ ରୋଷେଇଷାଳ ପ୍ରସ୍ତୁତ କରାଯାଏ। ଏହି ରୀତିନୀତି ରାତ୍ରି ସମୟରେ, ଜଗନ୍ନାଥଙ୍କ ପହଡ ପଡିବା ପରେ ଏବଂ ଦୁର୍ଗାମାଧବଙ୍କ ଅନୁପସ୍ଥିତିରେ ପାଳନ କରାଯାଏ। ନବମୀ ତିଥିରେ ଜଗନ୍ନାଥଙ୍କ ‘ଚନ୍ଦନଲାଗି’ ନୀତି ପରେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିସରକୁ ବିଶୁଦ୍ଧ କରାଯାଏ। ଏହି ସମୟରେ କେହି ଯଦି ମା’ଙ୍କ ପାଖରେ ବଳି ଦେବା ପାଇଁ ପଶୁ ଯାଚନ୍ତି ତା’ ହେଲେ ଶ୍ରୀମନ୍ଦିର ପରିସର ବାହାରେ ଦଶହରା ସମୟରେ ପୂଜା ପାଇବା ପାଇଁ ଗଢା ଯାଇଥିବା ମାଟି ମୂର୍ତ୍ତି ‘କାକୁଡିଖାଇ ଗୋସାଣୀ’ଙ୍କ ପାଖରେ ଯାଚି ପାରନ୍ତି, ଯିଏ ଶ୍ରୀମନ୍ଦିର ବାହାରେ ମା’ ବିମଳାଙ୍କ ପ୍ରତିନିଧି।
